ନୂଆଦିଲ୍ଲୀ: ସୁନା ଗହଣାର ହଲମାର୍କିଂକୁ ଆଜିଠାରୁ ବାଧ୍ୟତାମୂଳକ କରାଯାଇଛି। ଗ୍ରାହକମାନଙ୍କୁ ବିଶୁଦ୍ଧ ସୁନା ଯୋଗାଇ ଦେବା ଓ ଠକେଇରୁ ସେମାନଙ୍କୁ ବଞ୍ଚାଇବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର କହିଛନ୍ତି ଯେ ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥାକୁ ସାରା ଦେଶରେ ଲାଗୁ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୬ଟି ଜିଲ୍ଲାରେ ସୁନା ହଲ୍ମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି। ହଲ୍ମାର୍କ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେଟ୍ ସଦୃଶ ଯାହା ପୂର୍ବରୁ ସ୍ବେଚ୍ଛାଧୀନ ଥିଲା। ଗହଣା ବିକ୍ରେତାମାନଙ୍କ ଲାଗି ଆଜିଠାରୁ ୧୪,୧୮ ଓ ୨୨ କ୍ୟାରେଟ୍ ସୁନାର ହଲ୍ମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି। ୨୦, ୨୩ ଓ ୨୪ କ୍ୟାରେଟ ସୁନାର ମଧ୍ୟ ହଲ୍ମାର୍କିଂ ପାଇଁ ଅନୁମତି ପ୍ରଦାନ କରାଯିବ। ହଲ୍ମାର୍କ ହେଉଛି ଏକ ୬ଟି ସଂଖ୍ୟା ବିଶିଷ୍ଟ କୋଡ୍ ଯେଉଁଥିରେ ବିଆଇଏସ୍ ଓ ଶୁଦ୍ଧତାର ମାର୍କ ରହିଥିବ। ଜୁଏଲାରି ସଂସ୍ଥାଗୁଡ଼ିକୁ ଯତ୍ନର ସହ ଡେଲିଭରି ଭାଉଚର ଜାରି କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତମାନ ସୁଦ୍ଧା କେବଳ ୪୦ ପ୍ରତିଶତ ସୁନାଗହଣାର ହଲମାର୍କିଂ ହୋଇଛି। ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଥିବାରୁ ସୁନା ଗହଣାର ବିଶ୍ବାସନୀୟତା ବଢ଼ିବ, ଗ୍ରାହକ ସନ୍ତୁଷ୍ଟି ଓ ଗ୍ରାହକ ସୁରକ୍ଷାରେ ଉନ୍ନତି ହେବ। ଏହି ନିୟମକୁ ବହୁ ପୂର୍ବରୁ ଲାଗୁ କରିବାକୁ ଘୋଷଣା କରାଯାଇଥିଲା। ମାତ୍ର କରୋନା ମହାମାରୀ ଦେଖାଦେବା ପରେ ନିୟମ ପାଳନ କରିବା ଲାଗି ଗହଣା ଦୋକାନିଗୁଡ଼ିକ ଅଧିକ ମହଲତ ଲୋଡ଼ିଥିଲେ। ଆଜି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟ୍ କରି ଜଣାଇଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ କୌଣସି ଜରିମାନା ଭିତ୍ତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଉପଭୋକ୍ତା ବ୍ୟାପାର ସଚିବ ଲିଲା ନନ୍ଦନ କହିଛନ୍ତି ଯେ ଯେଉଁ ସବୁ ଜିଲ୍ଲାରେ ମାର୍କିଂ ସେଣ୍ଟର୍ ରହିଛି ପ୍ରଥମେ ସେହି ଜିଲ୍ଲାଗୁଡ଼ିକରେ ଏହି ନିୟମକୁ ଲାଗୁ କରାଯିବ। ଏନେଇ ଅଂଶୀଦାରମାନଙ୍କ ସହ ବ୍ୟାପକ ଆଲୋଚନା କରାଯାଇଛି। ବର୍ତମାନ ସମୟ ପାଇଁ କିଛି ଅଂଶୀଦାରଙ୍କ ପାଇଁ ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇନାହିଁ। ବାଣିଜ୍ୟ ନୀତି ଅଧୀନରେ ଯେଉଁମାନେ ରପ୍ତାନି କରୁଛନ୍ତି ଏବଂ ଗହଣାକୁ ପୁନର୍ବାର ଆମଦାନି କରୁଛନ୍ତି ସେମାନଙ୍କୁ ଏଥିରୁ ଛାଡ଼ କରାଯାଇଛି। ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସରକାରୀ ଅନୁମୋଦିତ ବି୨ବି ଦେଶ ଭିତର ପ୍ରଦର୍ଶନୀ ପାଇଁ ମଧ୍ୟ ଏହି ସ୍କିମ୍କୁ ଏବେ ଲାଗୁ କରାଯାଇନାହିଁ। ଘଣ୍ଟା, ଫାଉଣ୍ଟେନ୍ ପେନ୍, କୁନ୍ଦନ, ପୋଲ୍କି ଓ ଜଡ଼ାଉ ଗହଣା ପାଇଁ ମଧ୍ୟ ହଲ୍ମାର୍କିଂକୁ ବାଧ୍ୟତାମୂଳକ କରାଯାଇନାହିଁ। ଯେଉଁ ଗହଣା ବିକ୍ରେତାମାନଙ୍କ ବାର୍ଷିକ କାରବାର ୪୦ ଲକ୍ଷ ଟଙ୍କାରୁ କମ୍ ସେମାନଙ୍କ ପାଇଁ ମଧ୍ୟ ଏହି ନିୟମ ଏବେ ଲାଗୁ କରାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜୁଏଲାରି ସଂସ୍ଥାଗୁଡ଼ିକ ଗ୍ରାହକମାନଙ୍କ ଠାରୁ ହଲମାର୍କ ହୋଇନଥିବା ଗହଣା କିଣିପାରିବେ। ମାତ୍ର ତାହାକୁ ତରଳାଇବା ପରେ ସମ୍ଭବ ହେଲେ ତାହାର ହଲମାର୍କିଂ କରାଇ ନେବାକୁ ସରକାର ପରାମର୍ଶ ଦେଇଛନ୍ତି। ୨୦୦୦ ମସିହା ପରଠାରୁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ପକ୍ଷରୁ ସୁନା ଗହଣା ପାଇଁ ହଲ୍ମାର୍କିଂ ସ୍କିମ୍ ଆରମ୍ଭ କରାଯାଇଥିଲା। ଭାରତରେ ୪ ଲକ୍ଷରୁ ଅଧିକ ଜୁଏଲାରି ସଂସ୍ଥା ଥିବା ବେଳେ ସେଥି ମଧ୍ୟରୁ ମାତ୍ର ୩୫,୮୭୯ଟି ସଂସ୍ଥା ବିଆଇଏସ୍ ସାର୍ଟିଫାଏଡ୍। ବିଶ୍ବ ସୁନା ପରିଷଦ ତଥ୍ୟ ଅନୁସାରେ ଭାରତ ପ୍ରତିବର୍ଷ ୭୦୦-୮୦୦ ଟନ୍ ସୁନା ଆମଦାନି କରୁଛି। ଚଳିତ ବର୍ଷ ଜାନୁଆରି ୧୫ରୁ ସୁନା ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ପରବର୍ତୀ ସମୟରେ ଏହି ସମୟ ସୀମାକୁ ଜୁନ୍ ୧ ଓ ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ପୁରୁଣା ସୁନାର କ’ଣ ହେବ?
ଯେଉଁମାନଙ୍କ ପାଖରେ ହଲ୍ମାର୍କ ହୋଇଥିବା ପୁରୁଣା ସୁନା ରହିଛି ସେମାନେ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଏହି ନିୟମ ଗହଣା ବିକ୍ରେତାମାନଙ୍କ ପାଇଁ ଲାଗୁ କରାଯାଇଛି। ସେମାନେ ଗ୍ରାହକମାନଙ୍କୁ ଯେଭଳି ବିଶୁଦ୍ଧ ସୁନା ବିକିବେ ତାହା ନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଲୋକମାନଙ୍କ ପାଖରେ ଥିବା ପୁରୁଣା ସୁନା ଏହା ଦ୍ବାରା କୌଣସି ପ୍ରକାରରେ ପ୍ରଭାବିତ ହେବ ନାହିଁ। ଏହି ସ୍କିମ୍ ଲାଗୁ ହେବା ପରେ ଦେଖାଦେବାକୁ ଥିବା ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରିବା ଲାଗି ଅଂଶୀଦାର, ରାଜସ୍ବ ଅଧିକାରୀ ଓ ଆଇନ ବିଶାରଦମାନଙ୍କୁ ନେଇ ସରକାର ଏକ କମିଟି ଗଠନ କରିଛନ୍ତି। ପୁରୁଣା ସୁନାକୁ ଦୋକାନିମାନେ ପୂର୍ବଭଳି କିଣିବେ। ପୁରୁଣା ସୁନାକୁ ତରଳାଇ ଗହଣା ନିର୍ମାତାମାନେ ତାହାକୁ ହଲ୍ମାର୍କିଂ କରିପାରିବେ।