ଜୁନ୍‌ରୁ ସୁନା ହଲ୍‌ମାର୍କିଂ ବାଧ୍ୟତାମୂଳକ, ଗ୍ରାହକମାନେ ଠକାମିର ଶିକାର ହେବେନି

ବିଶୁଦ୍ଧ ସୁନା କିଣିବା ସହଜ ହେବ, ୧୪, ୧୮ ଓ ୨୨ କ୍ୟାରେଟ୍‌ ସୁନା ଗହଣା ବିକ୍ରି ହେବ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ୧ରୁ ସୁନା ଗହଣାର ହଲ୍‌ମାର୍କିଂ ବାଧ୍ୟତାମୂଳକ କରାଯିବ। ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ହଲମାର୍କିଂ ହେଉଛି ସୁନାର ଶୁଦ୍ଧତା ସାର୍ଟିଫିକେଟ୍ ସଦୃଶ। ବର୍ତ୍ତମାନ ଏହା ସ୍ବେଚ୍ଛାଧୀନ ରହିଛି। ଚଳିତ ବର୍ଷ ଜାନୁଆରି ୧୫ରୁ ସୁନା ଗହଣାର ହଲମାର୍କିଂ ବାଧ୍ୟତାମୂଳକ କରିବା ବିଷୟରେ ୨୦୧୯ ନଭେମ୍ବରରେ ସରକାର ଘୋଷଣା କରିଥିଲେ। ମାତ୍ର କରୋନା ମହାମାରୀ ପ୍ରଭାବକୁ ଦୃଷ୍ଟିରେ ରଖି ସେହି ସମୟ ସୀମାକୁ ଚାରି ମାସ ବୃଦ୍ଧି କରାଯାଇଛି। ଏହି ନିୟମକୁ ବିଳମ୍ବରେ ଲାଗୁ କରିବା ଲାଗି ଗହଣା ପ୍ରତିଷ୍ଠାନଗୁଡ଼ିକ ସରକାରଙ୍କୁ ଅନୁରୋଧ କରିଥିଲେ। ଜୁନ୍ ପହିଲାରୁ ଗହଣା ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ କେବଳ ୧୪,୧୮ ଓ ୨୨ କ୍ୟାରେଟ୍‌ର ସୁନା ଗହଣା ବିକିପାରିବେ। ହଲମାର୍କିଂ ଲାଗୁ କରିବା ଲାଗି ଗହଣା ପ୍ରତିଷ୍ଠାନଗୁଡ଼ିକୁ ଏକ ବର୍ଷରୁ ଅଧିକ ସମୟ ମିଳିଛି। ସେମାନଙ୍କୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ରେ ନିଜକୁ ପଞ୍ଜୀକୃତ କରିବାକୁ ପଡ଼ିବ।

ଏ ସମ୍ପର୍କରେ ଉପଭୋକ୍ତା ବ୍ୟାପାର ସଚିବ ଲିଲା ନନ୍ଦନ କହିଛନ୍ତି ଯେ ହଲମାର୍କିଂକୁ ବାଧ୍ୟତାମୂଳକ କରିବାର ସମୟ ସୀମା ବଢ଼ିବ ନାହିଁ। ନିୟମକୁ ଲାଗୁ କରିବା ଲାଗି ଗହଣା ପ୍ରତିଷ୍ଠାନଗୁଡ଼ିକୁ ମଞ୍ଜୁରି ପ୍ରଦାନ କରିବାରେ ବିଆଇଏସ୍‌ ଜୋରସୋରରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ବିଆଇଏସ୍‌ର ଡିଜି ପ୍ରମୋଦ କୁମାର ତିୱାରୀ କହିଛନ୍ତି ଯେ ଜୁନ୍‌ରୁ ଏହି ନିୟମ ଲାଗୁ କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଷ୍ଠାନ ସମୟ ସୀମା ବଢ଼ାଇବା ଲାଗି ଅନୁରୋଧ କରିନାହାନ୍ତି ବୋଲି ସେ କହିଛନ୍ତି। ବିଆଇଏସ୍‌ରେ ୩୪,୬୪୭ ଗହଣା ପ୍ରତିଷ୍ଠାନ ପଞ୍ଜୀକରଣ କରିଥିବା ସେ କହିଛନ୍ତି। ଆସନ୍ତା ଦୁଇ ମାସ ଭିତରେ ସେମାନଙ୍କ ସଂଖ୍ୟା ଏକ ଲକ୍ଷ ପାଖାପାଖି ପହଞ୍ଚିବ। ଗହଣା ପ୍ରତି‌ଷ୍ଠାନଗୁଡ଼ିକ ଲାଗି ପଞ୍ଜୀକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନଲାଇନ୍‌ରେ ଏବଂ ସ୍ବୟଂକ୍ରିୟ କରାଯାଇଛି।
ବିଆଇଏସ୍‌ ପକ୍ଷରୁ ୨୦୦୦ ମସିହା ପରଠାରୁ ଗହଣା ପ୍ରତିଷ୍ଠାନଗୁଡ଼ିକ ଲାଗି ହଲ୍‌ମାର୍କିଂ ବ୍ୟବସ୍ଥା ଜାରି ରଖାଯାଇଛି। ଏବେ ବଜାରରେ ବିକ୍ରି ହେଉଥିବା ୪୦ ପ୍ରତିଶତ ଗହଣାରେ ହଲମାର୍କିଂ ଥିବା ଜଣାପଡ଼ିଛି। ବିଆଇଏସ୍‌ ପକ୍ଷରୁ କୁହାଯାଇଛି ଯେ ହଲମାର୍କିଂ ବାଧ୍ୟତାମୂଳକ ହେବା ପରେ ଗ୍ରାହକମାନଙ୍କ ସ୍ବାର୍ଥ ସୁରକ୍ଷିତ ହୋଇପାରିବ। ସୁନା ଗହଣା କିଣିବା ବେଳେ ସେମାନେ ଠକାମିର ଶିକାର ହେବେ ନାହିଁ। ଗହଣାରେ ଶୁଦ୍ଧତାର ମାନ ଯାହା ଥିବ ତାହା ସେମାନେ ପାଇପାରିବେ। କ୍ୟାରେଟ୍ କମ୍ କରି ଗ୍ରାହକମାନଙ୍କୁ ଗହଣା ବିକ୍ରି କରାଯାଇପାରିବ ନାହିଁ। ଭାରତ ହେଉଛି ବିଶ୍ବର ସର୍ବବୃହତ ସୁନା ଆମଦାନି କରୁଥିବା ଦେଶ। ଦେଶକୁ ଆସୁଥିବା ଅଧିକାଂଶ ସୁନା ଗହଣା ଶିଳ୍ପରେ ବ୍ୟବହାର ହୋଇଥାଏ। ପ୍ରତିବର୍ଷ ଭାରତ ୭୦୦-୮୦୦ ଟନ୍ ସୁନା ଆମଦାନି କରୁଛି।

ସମ୍ବନ୍ଧିତ ଖବର