ସୁନା ଆମଦାନି ଦୁର୍ନୀତି :ଚିଦମ୍ବରମ୍‌ଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସୁନା ଆମଦାନୀ କୋହଳ ମାମଲାରେ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସରକାର ଆଜି କହିଛନ୍ତି ଯେ ଘରୋଇ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଯେଉଁମାନେ ସୁନା ଆମଦାନୀ ନିୟମ କୋହଳ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉପା ସରକାରଙ୍କ ଶାସନର ଶେଷ ଆଡ଼କୁ ଏହି ନିୟମ କୋହଳ ଯୋଗୁଁ ୧୩ଟି ଆମଦାନୀକାରୀ ମାତ୍ର ୬ ମାସ ମଧ୍ୟରେ ପ୍ରାୟ ୪୫୦୦ କୋଟି ଟଙ୍କାର ମୁନାଫା କମାଇଛନ୍ତି। ୨୦୧୪ ମେ ୨୧ ତାରିଖରୁ ୨୦: ୮୦ ସ୍କିମ୍‌ ଅଧୀନରେ ପ୍ରିମିୟର ଟ୍ରେଡିଂ ହାଉସ୍‌ ଓ ଷ୍ଟାର୍‌ ଟ୍ରେଡିଂ ହାଉସ୍‌ ଗୁଡ଼ିକ ସୁନା ଆମଦାନୀ କରିଥିଲେ। ଦେଶରେ ୨୦୧୪ ମାର୍ଚ ୫ ତାରିଖରୁ ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିଲା। ଏପରିକି ଭୋଟ ଗଣତି ମେ ୧୬ ତାରିଖରେ ହେବାକୁ ଥିଲେ ମଧ୍ୟ ତତ୍କାଳୀନ ଅର୍ଥମନ୍ତ୍ରୀ ମେ ୧୩ ତାରିଖରେ ନୂଆ ସ୍କିମ୍‌କୁ ମଞ୍ଜୁରି ଦେଇଥିଲେ ବୋଲି ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ୧୩ଟି ଟ୍ରେଡିଂ ହାଉସ୍‌ ଦ୍ୱାରା ୨୦୧୪ ଜୁନ୍‌ରୁ ନଭେମ୍ବର ମଧ୍ୟରେ ୨୪୨.୭୭ ଟନ୍‌ର ସୁନା ଆମଦାନୀ ହୋଇଥିଲା। ଏଥିଯୋଗୁଁ ଏହି ସଂସ୍ଥା ଗୁଡ଼ିକ ପ୍ରାୟ ୪୫୦୦ କୋଟି ଟଙ୍କାର ଅପ୍ରତ୍ୟାଶିତ ଲାଭ କରିଥିଲେ।

ସମ୍ବନ୍ଧିତ ଖବର