ବଢିବ ସୁନା ଦର, ଆମଦାନୀ ଶୁଳକ ୧୫%କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ସୁନା ଦର ଗତ କିଛି ମାସ ହେଲା ଉଚ୍ଚ ସ୍ତରରେ ରହିଆସିଛି । କିନ୍ତୁ ଆଗକୁ ସୁନା ଦର ଆହୁରି ବଢିବାର ସମ୍ଭାବନା ରହିଛି, କାରଣ ସରକାର ସୁନା ଉପରେ ଲାଗୁ ଆମଦାନୀ ଶୁଳକକୁ ୧୫ ପ୍ରତିଶତକୁ ବୃଦ୍ଧି କରିଦେଇଛନ୍ତି । ପୂର୍ବରୁ ଏହା ୧୦.୭୫ ପ୍ରତିଶତ ଥିଲା ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ସୁନା ଉପରେ ବର୍ଦ୍ଧିତ ଆମଦାନୀ ଶୁଳକ ଜୁନ ୩୦ରୁ ଲାଗୁ ହେବ । ସୁନା ଉପରେ ଲାଗୁ ଆମଦାନୀ ଶୁଳକ ମଧ୍ୟରେ ୧୨.୫ ପ୍ରତିଶତ ବେସିକ କଷ୍ଟମ୍ସ ଡ୍ୟୁଟି ଅନ୍ତର୍ଭୁକ୍ତ । ଏହା ସହିତ ୨.୫ ପ୍ରତିଶତ କୃଷି ଭିତ୍ତିଭୂମି ବିକାଶ ସେସ ଲାଗୁ ହେବ । ଫଳରେ ମୋଟ ଶୁଳକ ୧୫ ପ୍ରତିଶତ ହେବ ।

ଦେଶର ଆମଦାନୀ ବ୍ୟୟ ହ୍ରାସ କରିବା ଓ ଚଳନ୍ତି ଖାତା ନିଅଣ୍ଟକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗତ ମେ ମାସରେ ଦେଶର ସୁନା ଆମଦାନୀ ବୃଦ୍ଧି ପାଇଥିଲା । ଏହା ଫଳରେ ଦେଶକୁ ଅଧିକ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥିଲା । ଗତ ମେ ମାସରେ ୧୦୭ ଟନ ସୁନା ଆମଦାନୀ କରିଥିବାବେଳେ ଜୁନରେ ତାହା ଆହୁରି ଅଧିକ ହେବା ଆଶା କରାଯାଉଛି । ଭାରତ ନିଜ ଆବଶ୍ୟକତାର ଅଧିକାଂଶ ଭାଗ ସୁନା ବିଦେଶରୁ ଆମଦାନୀ କରିଥାଏ ।

ସମ୍ବନ୍ଧିତ ଖବର