ସୁନା ଆମଦାନି‌ରେ ୨ ଗୁଣା ବୃଦ୍ଧି

ନୂଆଦିଲ୍ଲୀ: ଗତବର୍ଷର ଏପ୍ରିଲରୁ ଡିସେମ୍ବର ମାସ ଭିତରେ ଭାରତ ଦୁଇ ଗୁଣା ଅଧିକ ସୁନା ଆମଦାନି କରିଛି। ଏହି ୯ ମାସରେ ଦେଶକୁ ୩୮୦୦ କୋଟି ଡଲାର (ପ୍ରାୟ ୨,୮୫,୦୦୦ କୋଟି ଟଙ୍କା) ମୂଲ୍ୟର ସୁନା ଆମଦାନି ହୋଇଥିଲା। ୨୦୨୦ରେ ଆମଦାନି ହୋଇଥିବା ୧୬୭୮ କୋଟି ଡଲାର (ପ୍ରାୟ ୧,୨୫,୮୫୦ କୋଟି ଟଙ୍କା) ତୁଳନାରେ ଏହା ଦୁଇ ଗୁଣ ଅଧିକ। କେବଳ ଡିସେମ୍ବରରେ ୪୮୦ କୋଟି ଡଲାର ମୂଲ୍ୟର ସୁନା ଆମଦାନି ହୋଇଛି। କେବଳ ସୁନା ନୁହେଁ, ରୁପା ଆମଦାନି ମଧ୍ୟ ଏହି ସମୟରେ ୨୦୦ କୋଟି ଡଲାରକୁ ବୃଦ୍ଧି ପାଇଛି। ୨୦୨୦ର ଏପ୍ରିଲ୍‌-ଡିସେମ୍ବରରେ ମାତ୍ର ୭୬.୨ କୋଟି ଡଲାର ମୂଲ୍ୟର ରୁପା ଆମଦାନି ହୋଇଥିଲା। ସୁନା ଓ ରୁପା ଭଳି ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନିରେ ବିପୁଳ ବିଦେଶୀ ମୁଦ୍ରା ଖର୍ଚ୍ଚ ହେବା ଦେଶର ଅର୍ଥନୀତି ପାଇଁ ଭଲ ନୁହେଁ। ଅଧିକ ସୁନା ଆସିଥିବାରୁ ଦେଶର ବାଣିଜ୍ୟ ନିଅଣ୍ଟ ୧୪,୨୪୪ କୋଟି ଡଲାରକୁ ବୃଦ୍ଧି ପାଇଛି। ଅର୍ଥାତ ରପ୍ତାନି ତୁଳନାରେ ଭାରତ ଅଧିକ ଆମଦାନି କରିଛି। ଚୀନ୍ ପରେ ଭାରତ ବିଶ୍ବର ଦ୍ବିତୀୟ ବୃହତ ସୁନା ଗ୍ରାହକ। ଭାରତରେ ଗହଣା ଶିଳ୍ପ ଏଠାରେ ଅଧିକ ସୁନ‌ା ଆମଦାନି କରୁଛି।

ସମ୍ବନ୍ଧିତ ଖବର