ସୁନା ଆମଦାନି ୨ ଗୁଣା ବୃଦ୍ଧି

ମୁମ୍ବାଇ: ଉତ୍ସବ ଋତୁ ଚାହିଦା ଯୋଗୁଁ ଅଗଷ୍ଟ ମାସରେ ସୁନା ଆମଦାନିରେ ଦୁଇ ଗୁଣା ବୃଦ୍ଧି ହୋଇଛି। ଅଗଷ୍ଟରେ ୧୨୧ ଟନ୍ ସୁନା ଆମଦାନି ହୋଇଛି ଯାହା ପୂର୍ବବର୍ଷ ଏହି ମାସରେ ହୋଇଥିବା ୬୩ ଟନ୍‌ ତୁଳନାରେ ଦୁଇ ଗୁଣାରୁ ଅଧିକ। ମୂଲ୍ୟ ଦୃଷ୍ଟିରୁ ଏହି ସୁନା ଆମଦାନି କରିବା ଲାଗି ୬୭୦ କୋଟି ଡଲାର ବ୍ୟୟ କରାଯାଇଛି। ଅଗଷ୍ଟ ମାସର ପ୍ରଥମ ପନ୍ଦର ଦିନରେ ସୁନା ଦାମ୍‌ ସାମାନ୍ୟ ହ୍ରାସ ପାଇଥିଲା। ଏହାର ସୁଯୋଗ ନେଇ ଜୁଏଲାରି ସଂସ୍ଥାଗୁଡ଼ିକ ଭବିଷ୍ୟତର ଚାହିଦାକୁ ନଜରରେ ରଖି ଅଧିକ ସୁନା ମଗାଇଥିଲେ। ମୁମ୍ବାଇ ବଜାରରେ ଏବେ ସୁନାର ୧୦ ଗ୍ରାମ ପିଛା ଦାମ୍ ୪୫,୬୬୨ ଟଙ୍କା ରହିଛି। ଏହା ହେଉଛି ଗତ ଚାରି ମାସରେ ସୁନାର ସର୍ବନିମ୍ନ ଦାମ୍। ଚଳିତ ବର୍ଷର ପ୍ରଥମ ୮ ମାସରେ ଭାରତକୁ ୬୮୭ ଟନ୍ ସୁନା ଆମଦାନି କରାଯାଇଛି। ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଦୂର ହେଉଥିବା ବେଳେ ଜୁଏଲାରି ଦୋକାନଗୁଡ଼ିକ ଖୋଲିଥିବାରୁ ସେଠାରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ସବ ଋତୁରେ ଆହୁରି ଭିଡ଼ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର