ଭୁବନେଶ୍ବର: କେନ୍ଦ୍ରୀୟ ବଜେଟ୍‌ରେ ସୁନା ଓ ରୁପା ଉପ‌ରୁ ସୀମା ଶୁଳ୍କକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହ୍ରାସ କରିବା ପରଠାରୁ ସୁନା ଶସ୍ତା ହେବାରେ ଲାଗିଛି। ସାରା ଦେଶରେ ଏହି ଧାରା ଜାରି ରହିଥିବା ବେଳେ ତାହାର ପ୍ରତିଫଳନ ଭୁବନେଶ୍ବରରେ ମଧ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୦୦ ଟଙ୍କା ହ୍ରାସ ପାଇ ୬୩୦୦୦ ଟଙ୍କା ହୋଇଯାଇଛି। ଗତ ମଙ୍ଗଳବାର ବଜେଟ୍ ଉପସ୍ଥାପନ ଦିନ ସୁନା ମୂଲ୍ୟ ସହରରେ ପ୍ରାୟ ୨୫୦୦ ଟଙ୍କା କମିଥିଲା। ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ଦାମ୍ ଶୁକ୍ରବାର ୧୦୯୦ ଟଙ୍କା ହ୍ରାସ ପାଇ ୬୮,୭୩୦ ଟଙ୍କା ହୋଇଛି। ରୁପାର କେଜି ପିଛା ଦାମ୍ ୮୪,୫୦୦ ଟଙ୍କା ରହିଛି। କେନ୍ଦ୍ରୀୟ ବଜେଟ୍‌ ଘୋଷଣା ଦିନ ରୁପା କେଜି ୮୮ ହଜାର ଟଙ୍କା ଥିଲା। କିଛି ଦିନ ତଳେ ରୁପା ମୂଲ୍ୟ ଏକ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା। ବିବାହ ଋତୁରେ ଉଭୟ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଗ୍ରାହକମାନଙ୍କ ଲାଗି ବଡ଼ ଧରଣର ଆଶ୍ବସ୍ତି ଆଣିଛି।