ଭୁବ‌ନେଶ୍ବର: ଅନେକ ସଭ୍ୟତା ଧରି ଯଦି କୌଣସି ସମ୍ପତ୍ତି ଶ୍ରେଣୀ ନିବେଶ ଲାଗି ଭରସାଯୋଗ୍ୟ ହୋଇରହିଛି ତାହା ହେଉଛି ସୁନା। ଭାରତୀୟ ସଂସ୍କୃତିରେ ସୁନାର ସ୍ବତନ୍ତ୍ର ମହତ୍ବ ରହିଛି। ଏହାକୁ ସମ୍ପତ୍ତି, ପ୍ରତିଷ୍ଠା ଓ ପରମ୍ପରାର ପ୍ରତୀକ ଭାବେ ବିଚାର କରାଯାଉଛି। ସାଂସ୍କୃତିକ ସମ୍ପର୍କ ଯୋଗୁଁ ଭାରତରେ ସୁନାକୁ ନେଇ ସର୍ବଦା ଚାହିଦା ରହିଛି। ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ନିବେଶକ ଓ ସୁନା ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଛି। ସୁନା ସବୁଦିନେ ଭରସାଯୋଗ୍ୟ ନିବେଶ ବିକଳ୍ପ ହୋଇରହିଛି ବୋଲି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡର ପାସିଭ୍‌ ବିଜନେସ୍‌ ମୁଖ୍ୟ ବିକାଶ ୱାଦେକର୍ କହିଛନ୍ତି। ତାଙ୍କ ମତରେ ଅନିଶ୍ଚିତତାର ସମୟରେ ଯଦି କୌଣସି ସମ୍ପତ୍ତି କାମରେ ଆସିଥାଏ ତାହା ହେଉଛି ସୁନା।

Advertisment

ଉଚ୍ଚ ମୁଦ୍ରାସ୍ଫୀତି ଓ ବିନିମୟ ମୁଦ୍ରା ମୂଲ୍ୟରେ ଅସ୍ଥିରତା ସମୟରେ ଏହା ପୋର୍ଟଫୋଲିଓକୁ ସୁରକ୍ଷା ଦେଇଥାଏ। ଏଭଳି ସମୟରେ ସୁନାର ଦାମ୍ ବୃଦ୍ଧି ପାଏ ଯାହା ନିବେଶକମାନଙ୍କୁ ଅସ୍ଥିରତାର ମୁକାବିଲା କରିବାରେ ସହାୟକ ହୋଇଥାଏ। ସୁନାର ମୂଲ୍ୟକୁ ଦୀର୍ଘ ସମୟ ସଂରକ୍ଷିତ ରଖିହେବ। ଯେଉଁମାନେ ଦୀର୍ଘକାଳୀନ ଭିତ୍ତିରେ ସମ୍ପତ୍ତି ଗଠନ କରିବାକୁ ଚାହୁଛନ୍ତି ସେମାନେ ନିଜ ପୋର୍ଟଫୋଲିଓରେ ସୁନାକୁ ସାମିଲ କରିପାରିବେ। ଯେତେବେଳେ ଷ୍ଟକ୍ କିମ୍ବା ବଣ୍ଡ୍‌ ମୂଲ୍ୟରେ ହ୍ରାସ ଘଟେ, ସେହି ସମୟରେ ସୁନା ମହଙ୍ଗା ହେବାର ଅନେକ ନଜିର ରହିଛି। 

ସୁନାରେ ନିବେଶ କରିବାକୁ ଚାହୁଥିବା ନିବେଶକମାନଙ୍କ ଲାଗି ମଧ୍ୟ ବିଭିନ୍ନ ବିକଳ୍ପ ରହିଛି। ସେମାନେ ପ୍ରତ୍ୟକ୍ଷ ସୁନା କିଣିପାରିବେ କିମ୍ବା ଗୋଲ୍ଡ ଇଟିଏଫ୍ ଓ ସୁନା କାରବାର ସହ ଜଡ଼ିତ କମ୍ପାନିର ସେୟାରରେ ନିବେଶ କରିପାରିବେ ବୋଲି ଶ୍ରୀ ୱାଦେକର କହିଛନ୍ତି। ଇକ୍ବିଟି ବଜାରରେ ନିବେଶ କରିଥିବା ନିବେଶକମାନେ ଅସ୍ଥିରତା ସମୟର ମୁକାବିଲା କରିବା ଲାଗି ସୁନାରେ ନିବେଶ କରିବାର ଆବଶ୍ୟକତା ରହିଛି। ଭାରତ ଭଳି ଏକ ଉଦୀୟମାନ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ସୁନାର ଭୂମିକା ଆହୁରି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ସଠିକ୍ ଦୃଷ୍ଟିକୋଣ ରଖି ସୁନାରେ ନିବେଶ କଲେ ତାହା ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି।