ନୂଆଦିଲ୍ଲୀ: ଭାରତରେ ସୁନା ଦର ଚଳିତ ସପ୍ତାହରେ ବଡ଼ଧରଣର ହ୍ରାସ ଘଟିଛି। ଏହାଫଳରେ ଅନ୍ତର୍ଜାତୀୟ ସ୍ତରରେ ସୁନା କିଣିବା ପାଇଁ ଲୋକପ୍ରିୟ ସ୍ଥାନ ଭାବେ ପରିଚିତ ମଧ୍ୟାପ୍ରାଚ୍ୟ ଯଥା ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ), କତର, ଓମାନ ଏବଂ ସିଙ୍ଗାପୁର ତୁଳନାରେ ଭାରତରେ ସୁନା ଦର ଶସ୍ତା ରହିଛି। ନଭେମ୍ବର ୧୬ରେ ଭାରତରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପିଛା ୭୫,୬୫୦ ଟଙ୍କାରେ ରହିଛି। ଗତକାଲି ତୁଳନାରେ ଏଥିରେ ୧୧୦ ଟଙ୍କା ହ୍ରାସ ଘଟିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୬୯,୩୫୦ ଟଙ୍କାକୁ, ୧୮ କ୍ୟାରେଟ୍‌ ସୁନା ଦର ୫୬,୭୪୦ ଟଙ୍କାକୁ ଖସିଆସିଛି। ଅନ୍ୟପକ୍ଷରେ ଓମାନରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ଦାମ ୧୦ ଗ୍ରାମ ପିଛା ୨୨୦ ଟଙ୍କା ବୃଦ୍ଧି ଘଟି ୭୫,୭୬୩ ଟଙ୍କାରେ ପହଞ୍ଚିଛି। ସେହିଭଳି କତରରେ ୨୪ କ୍ୟାରେଟ୍‌ ସୁନା ଦର ବୃଦ୍ଧି ଘଟି ୭୬,୨୯୩ ଟଙ୍କାରେ ପହଞ୍ଚିଛି।

Advertisment

ଇସ୍ରାଏଲ ଏବଂ ଗାଜାରେ ଭୂରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଭାରତ ତୁଳନାରେ ମଧ୍ୟପ୍ରାଚ୍ୟରେ ସୁନାଦର ଅଧିକ ରହିଛି। ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି ହୋଇଥିବା ଅସ୍ଥିରତା କାରଣରୁ ସୁନାକୁ ମଧ୍ୟପ୍ରାଚ୍ୟରେ ଅପେକ୍ଷାକୃତ ଭାବେ ଅଧିକ ସୁରକ୍ଷିତ ସଂପତ୍ତି ଭାବେ ବିବେଚନା କରାଯାଉଛି। ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ଗତ ୩ ବର୍ଷ ମଧ୍ୟରେ ସଂପ୍ରତି ସର୍ବାଧିକ ସାପ୍ତାହିକ ହ୍ରାସ ଘଟିଛି। ଆମେରିକାରେ ସୁନାର ସ୍ପଟ ମୂଲ୍ୟରେ ୪.୫ ପ୍ରତିଶତ ହ୍ରାସ ଘଟିଛି। ଆମେରିକାରେ ସୁନା ମୂଲ୍ୟ ଆଉନ୍ସ ପିଛା ୨ ମାସର ସର୍ବନିମ୍ନ ବା ପ୍ରାୟ ୨୫୬୩.୨୫ ଡଲାରରେ କାରବାର ହେଉଛି। ଅକ୍ଟୋବରରେ ସୁନା ଦର ରେକର୍ଡ ସ୍ତର ଛୁଇଁବା ପରେ ସଂପ୍ରତି ଏହା କମିବାରେ ଲାଗିଛି। ସୁନା ଦର ରେକର୍ଡ ସ୍ତର ଛୁଇଁବା ପରଠାରୁ ୭ ପ୍ରତିଶତ କମିଲାଣି। ଏହା ସତ୍ତ୍ବେ ଏବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦର ୨୪ ପ୍ରତିଶତ ଅଧିକ ରହିଛି। ବିଶ୍ବର ବିଭିନ୍ନ ସ୍ଥାନରେ ଭୂରାଜନୈତିକ ଉତ୍ତେଜନା ଲାଗି ରହିବା ସହିତ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣିବା ଫଳରେ ଦର ଉଚ୍ଚା ରହିଛି।