ନୂଆଦିଲ୍ଲୀ: ଦେଶରେ ସୁନା ରୁପା ଦର ବଢ଼ିବାରେ ଲାଗିଛି। ଚଳିତ ସପ୍ତାହରେ ୧୦ ଗ୍ରାମ ପିଛା ସୁନା ଦର ୮୬୨ ଟଙ୍କା ଏବଂ ୧ କିଲୋ ପିଛା ରୁପା ଦର ୧୬୫୪ ଟଙ୍କା ବଢ଼ିଛି। ଗତ ୮ ତାରିଖରେ ସୁନା ଦାମ ୪୮,୧୪୧ ଟଙ୍କା ଥିବାବେଳେ ୧୩ ତାରିଖରେ ଏହା ୪୯୦୦୩ ଟଙ୍କାରେ ପହଞ୍ଚିଛି। ସେହିଭଳି ୮ ତାରିଖରେ ରୁପା ଦର ୬୪୬୩୧ ଟଙ୍କା ଥିବାବେଳେ ଏହା ୬୬,୨୮୫ ଟଙ୍କାକୁ ବୃଦ୍ଧି ପାଇଛି। ୫ ମାସ ପରେ ପ୍ରଥମ ଥର ପାଇଁ ସୁନା ଦର ୪୯ ହଜାର ଟଙ୍କା ଅତିକ୍ରମ କରିଛି। ୨୪ କ୍ୟାରେଟ ଦର ୪୯୦୦୩ ଟଙ୍କା, ୨୨ କ୍ୟାରେଟ୍ ଦର ୪୪,୮୮୭ ଟଙ୍କା ଏବଂ ୧୮ କ୍ୟାରେଟ ଦର ୩୬୭୫୨ ଟଙ୍କାରେ ପହଞ୍ଚିଛି। ଫ୍ୟୁଚର ବଜାରରେ ସୁନା ୯ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମଲ୍ଟି ‌କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ସୁନା ଦର ୧୦ ଗ୍ରାମ ପିଛା ୪୯୩୪୬ ଟଙ୍କା ଏବଂ ରୁପା ଦର କିଲୋଗ୍ରାମ ପିଛା ୬୭ ହଜାର ଟଙ୍କା ଅତିକ୍ରମ କରିଛି।

Advertisment

publive-image

ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୧୮୬୫ ଡଲାରରେ ପହଞ୍ଚି ଯାଇଛି। ଏହା ପୂର୍ବରୁ ଜୁନ ଶେଷରେ ସୁନା ଦର ଏହି ସ୍ତରରେ ରହିଥିଲା। ଏହା ପରେ ଦରରେ ହ୍ରାସ ଘଟିଥିଲା। ରୁପା ଦର ମଧ୍ୟ ଆଉନ୍ସ ପିଛା ୨୫ ଡଲାର ଟପିଯାଇଛି। ଆଇଆଇଏଫଏଲ ସିକ୍ୟୁରିଟିଜ୍‌ର ଉପ ସଭାପତି (କମୋଡିଟି ଆଣ୍ଡ୍ କରେନ୍ସି) ଅନୁଜ ଗୁପ୍ତା କୁହନ୍ତି, କିଛି ଦେଶରେ ଏବେ କ‌ରୋନା ସଂକ୍ରମଣ ସଂଖ୍ୟା ପୁନର୍ବାର ବଢ଼ିବାରେ ଲାଗିଛି। ଏଥିସହିତ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଏହାର ସୁଧ ହାରରେ କୌଣସି ପରିବର୍ତ୍ତନ ନକରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିଯୋଗୁ ସୁନା ଦରରେ ବୃଦ୍ଧି ଘଟୁଛି। ପାର୍ବଣ ଋତୁରେ ସୁନା ଚାହିଦା ବୃଦ୍ଧି ପାଇଛି। ଆଗାମୀ ଦିନରେ ବିବାହ ଋତୁରେ ମଧ୍ୟ ଚାହିଦା ଆହୁରି ବଢ଼ିବ। ଚଳିତବର୍ଷ ଶେଷ ସୁଦ୍ଧା ସୁନା ଦର ୫୨ ହଜାର ଟଙ୍କା ଟପିପାରେ ବୋଲି ସେ ଅନୁମାନ କରିଛନ୍ତି। ସେହିଭଳି ରୁପା ଦର ମଧ୍ୟ ବର୍ଷ ଶେଷବେଳକୁ ୭୪ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ସେ କହିଛନ୍ତି।