ଭୁବନେଶ୍ବର: ରାଜ୍ୟର ୧୦ଟି ଜିଲ୍ଲାରେ ସୁନା ଥିବା ସୂଚନା ରହିଛି। କିଛି ଜିଲ୍ଲାରେ ଅନୁସନ୍ଧାନ କରାଯାଉଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ଅନୁସନ୍ଧାନ ମଧ୍ୟ ହେଉନାହିଁ। ବର୍ତ୍ତମାନ ପରିସ୍ଥିତିରେ କୌଣସି ଖଣିରୁ ସୁନା ଉତ୍ତୋଳନ କରିବାକୁ ସରକାରଙ୍କ ଯୋଜନା ନାହିଁ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ସେ କହିଛନ୍ତି ଯେ ଦେବଗଡ଼ର ଆଡାସ-ରାମପାଲି ଅଞ୍ଚଳରେ ସୁନା ଗଚ୍ଛିତ ଥିବାର ସନ୍ଧାନ ମିଳିଥିବା ବେଳେ ‌ସେହି ଖଣିଜ ବ୍ଲକ୍‌କୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସୁନା ଖଣି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ସୁନା ଥିବାର ସୂଚନା ରହିଛି।

Advertisment

ମନ୍ତ୍ରୀ ଶ୍ରୀ ଜେନା ବିଧାନସଭାରେ କହିଛନ୍ତି ଯେ ୧୯୮୧-୮୩ରୁ ୧୯୮୯-୯୬ରେ କେନ୍ଦୁଝର ଗୋପୁର-ଗାଜିପୁର ଅଞ୍ଚଳରେ ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ଅନୁସନ୍ଧାନ ୨୦୨୧-୨୨ରୁ ଚାଲୁ ରହିଛି। ଭାରତୀୟ ଭୂ-ବିଜ୍ଞାନ ସର୍ବେକ୍ଷଣ (ଜିଏସ୍‌ଆଇ) ସଂସ୍ଥା ଓ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଏହି ଅନୁସନ୍ଧାନ ଚାଲିଛି। କିନ୍ତୁ ଖଣିର ମାନ ଓ ପରିମାଣ ନିର୍ଧାରଣ କରାଯାଇନଥିବାରୁ ଏହାର ଉତ୍ତୋଳନ ଲାଗି କୌଣସି ଯୋଜନା ହୋଇନାହିଁ। ମାଙ୍କଡ଼ଚୁଆଁ, ସଲେଇକଣା, ଡିମିରିମୁଣ୍ଡା ଅଞ୍ଚଳରେ ଓଡ଼ିଶା ଖଣି ନିଗମ ଦ୍ବାରା ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ମୟୂରଭଞ୍ଜର ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ (ଧୁସୁରା ପାହାଡ଼) ଓ ବାଦାମପାହାଡ଼ ଅଞ୍ଚଳରେ ମଧ୍ୟ ସୁନ ଖଣି ‌ଅନ୍ବେଷଣର ପ୍ରାରମ୍ଭିକ ଅନୁସନ୍ଧାନ ଚାଲିଛି। ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧରେ ସୁନା ଥିବାର ସୂଚନା ରହିଥିଲେ ମଧ୍ୟ ତାହାର ଅନୁସନ୍ଧାନ କରାଯାଇନାହିଁ। ରାଜ୍ୟ ଖଣି ଉତ୍ତୋଳନ କରି ଏକ ପ୍ରୋସେସିଂ ୟୁନିଟ୍‌ ଖୋଲିବାର ସରକାରଙ୍କ କୌଣସି ଯୋଜନା ନଥିବା ମନ୍ତ୍ରୀ କହିଛନ୍ତି।

ଦେବଗଡ଼ ଜିଲ୍ଲା ଆଡ଼ସ୍ ଗାଁରେ ସୁନାଖଣି
ଦେବଗଡ଼:ପୂର୍ବରୁ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିବା ରିଆମାଳ ବ୍ଲକ୍‌ ଆଡ଼ସ ଅଂଚଳରେ ସୁନାଖଣି ସନ୍ଧାନ ମିଳିଛି। ଏହାସହିତ ତମ୍ବାପଥର ସହିତ ରୁପା ଓ ନିକେଲ ମଧ୍ୟ ରହିଛି। ଆଡ଼ସ ଗ୍ରାମରେ ସୁନା ଥିବା ନେଇ ୩୦ ବର୍ଷ ତଳେ ସର୍ଭେ ହୋଇଥିଲା। ପରେ ସର୍ଭେ କାର୍ଯ୍ୟ ବନ୍ଦ ହୋଇଥିଲା ବେଳେ ପୁଣି ୩ ବର୍ଷ ତଳେ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଆଡ଼ସ ଗ୍ରାମରେ ସର୍ଭେ କରାଯାଇଥିଲା। ସରକାରୀ ଓ ବେସରକାରୀ ଜମିରେ ଖନନ କରି ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ମାଟି ତଳେ ସୁନା ଥିବା ତଥ୍ୟ ସାମ୍ନାକୁ ଆସିଛି। ଏହା ସହିତ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ କରାଯିବ ‌ସହିତ ସେଥିରେ ଚିହ୍ନିତ କରାଯାଇଛି। ଆଉ ମାଟି ତଳେ ସୁନା ଥିବା ଜାଣିବା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି।