ସୁନା ଚାହିଦା ୩୦% କମିବ, ୪୮୩ ଟନ୍ ପର୍ଯ୍ୟନ୍ତ ଖସିଯିବ

ମୁମ୍ବାଇ: ଚଳିତ ବର୍ଷ ଭାରତରେ ସୁନା ଚାହିଦା ୩୦% ହ୍ରାସ ପାଇ ୪୮୩ ଟନ୍‌ରେ ପହଞ୍ଚିଯିବ ବୋଲି ଭାରତୀୟ ଶିଳ୍ପ ଚାମ୍ବର (ଆଇସିସି) ଆକଳନ କରିଛି। ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଅନେକ ଲୋକ ଜୀବିକା ହରାଇବେ ଯାହା ଦ୍ବାରା ସେମାନଙ୍କ କ୍ରୟ ଶକ୍ତି ହ୍ରାସ ପାଇବ। ଏହା ବ୍ୟତୀତ ବର୍ଷତମାମ ଏହି ଧାତୁ ମୂଲ୍ୟ ଅସ୍ଥିର ରହିବାର ଆଶଙ୍କା ରହିଛି। ଭାରତରେ ସାଧାରଣତଃ ବିବାହ ଋତୁ ଓ ଉତ୍ସବ ସମୟରେ ଅଧିକ ସୁନା ବିକ୍ରି ହୋଇଥାଏ। ଚଳିତ ବର୍ଷ କରୋନା ପ୍ରଭାବରୁ ଅନେକ ବିବାହ କାର୍ଯ୍ୟ ବନ୍ଦ ରହିବ। ଫଳରେ ବିବାହ ପାଇଁ ହେଉଥିବା କିଣାକିଣି ଠପ୍ ହୋଇଯିବ। ପୂର୍ବରୁ ଆକଳନ କରାଯାଇଥିଲା ଯେ ୨୦୨୦ରେ ଭାରତର ସୁନା ଚାହିଦା ୭୦୦-୮୦୦ ଟନ୍ ଭିତରେ ରହିବ। ଏବେ ଆକଳନ କରାଯାଇଛି ଯେ ଏହି ଚାହିଦା ୪୮୩ ଟନ୍ ପର୍ଯ୍ୟନ୍ତ ଖସିଯିବ। ଗତବର୍ଷ ଦେଶରେ ୬୯୦ ଟନ୍‌ର ସୁନା ବିକ୍ରି ହୋଇଥିଲା। ଆଇସିସିର ମହାନିର୍ଦେଶକ ରାଜୀବ ସିଂହ କହିଛନ୍ତି ଯେ, ଗହଣା ଓ ରତ୍ନପଥର ଶିଳ୍ପ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଅଗ୍ରୀମ ଟିକସ ପଇଠ କରିବା, ଗୋଲ୍‌ଡ ମେଟାଲ୍‌ ଋଣର ମାଚ୍ୟୁରିଟି ଟଙ୍କା ଦେବା, ସୁନା ଧାତୁ ଋଣ ଉପରେ ସୁଧ ପଇଠ କରିବା ଭଳି ସମସ୍ୟା ଅଛି। ଅଗ୍ରୀମ ଟିକସ ପଇଠ କରିବାର ସମୟ ସୀମାକୁ ୧୮୦ ଦିନ ପର୍ଯ୍ୟନ୍ତ ବଢ଼ାଇବା, ସୁନା ଧାତୁ ଋଣ ଉପରେ ସୁଧ କମ୍ କରିବା ଏବଂ ମିଆଦୀ ଋଣ ସୁଧରେ ୫୦% ହ୍ରାସ କରିବା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୮୦ ଦିନର କାର୍ଯ୍ୟକାରୀ ପୁଞ୍ଜି ଯୋଗାଇ ଦେବା ଲାଗି ଆଇସିସି ପକ୍ଷରୁ ସରକାରଙ୍କ ପ୍ରସ୍ତାବ ଦିଆଯାଇଛି। ସୁନା ଗହଣା ପ୍ରସ୍ତୁତିରେ ନିୟୋଜିତ ହୋଇଥିବା କାରିଗରମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି ଗଠନ କରିବା ଏବଂ ସେମାନଙ୍କୁ ଏକକାଳୀନ ବଡ଼ ରାଶି ଦେବା ଲାଗି ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର