ଅଳଙ୍କାର: ଅନନ୍ୟା ଅପରୂପା

ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୨

ଦିନଥିଲା ସୁନା, ରୁପା ଭଳି ମୂଲ୍ୟବାନ ଧାତୁରେ ନିର୍ମିତ ଗହଣା କେବଳ ବିବାହ, ବ୍ରତଘର ଭଳି ଉତ୍ସବ ଓ ପର୍ବପର୍ବାଣିରେ ପିନ୍ଧା ଯାଉଥିଲା। ମହିଳାମାନେ ଅଧିକ ମାତ୍ରାରେ ଗହଣାପ୍ରିୟ ଥିଲେ। କିନ୍ତୁ ସମୟ ଅନୁସାରେ ଏହି ଧାରାରେ ଅନେକ ପରିବର୍ତ୍ତନ ଆସିଛି। ପୁରୁଷମାନେ ମଧ୍ୟ ଗହଣା ପିନ୍ଧିବାରେ କିଛି କମ୍ ରୁଚି ରଖୁନାହାନ୍ତି। ଏଥିସହିତ ଅଧିକରୁ ଅଧିକ ସଂଖ୍ୟକ ମହିଳା ଚାକିରି ଓ ବ୍ୟବସାୟ ଆଦି କରି ସେମାନଙ୍କ କ୍ରୟ କ୍ଷମତା ବୃଦ୍ଧି କରିବା ସହିତ ପରିବାରର ଆର୍ଥିକ ନିଷ୍ପତ୍ତିରେ ବି ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ଅନେକ ମହିଳା ଏକାଧିକ ସେଟ୍‌ ଗହଣା କିଣୁଛନ୍ତି। ଏସବୁ ଦୃଷ୍ଟିରୁ ଓଡ଼ିଶା ଦେଶର ଏକ ପ୍ରମୁଖ ଗହଣା ବଜାର ପାଲଟି ଯାଇଛି। ରାଜ୍ୟରେ ଗହଣା ଚାହିଦା ବୃଦ୍ଧି ପାଉଥିବାରୁ ଏଠାରେ ଦିନକୁ ଦିନ ସୁନା, ରୁପା, ହୀରା ଏବଂ ପ୍ଲାଟିନମ ଆଦି ଧାତୁରେ ନିର୍ମିତ ଗହଣା ବ୍ୟବସାୟ ବଢ଼ୁଛି। କିିଛିବର୍ଷ ପୂର୍ବେ ରାଜ୍ୟର ବିଭିନ୍ନ ସହରରେ ଭିନ୍ନ ଭିନ୍ନ ନାମରେ ପ୍ରତିଷ୍ଠିତ ସୋ’ରୁମ୍‌ ଗୁଡ଼ିକ ଅଳଙ୍କାର ବିକ୍ରି ନିଜର ବ୍ରାଣ୍ଡ୍‌ ସୃଷ୍ଟି କରିଥିଲେ। ଗ୍ରାମାଞ୍ଚଳରୁ ଗ୍ରାହକମାନେ ଆସି ଏସବୁ ସୋ’ରୁମ୍‌ରୁ ଗହଣା କିଣୁଥିଲେ। ରାଜ୍ୟର ଏସବୁ ଗହଣା ବ୍ୟବସାୟୀଙ୍କ ସହିତ ଏବେ ଯୋଡ଼ି ହୋଇଛନ୍ତି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବ୍ରାଣ୍ଡ୍‌। ତେଣୁ ଓଡ଼ିଶା ଦେଶର ଏକ ପ୍ରମୁଖ ଗହଣା ବଜାରରେ ଓଡ଼ିଶା ପରିଣତ ହୋଇଯାଇଛି। କେବଳ ଗହଣା ପାଇଁ ନୁହେଁ, ଲୋକେ ସୁନା ଗହଣାକୁ ନିବେଶର ଏକ ବଳିଷ୍ଠ ମାଧ୍ୟମ ଭାବେ ମଧ୍ୟ ବିବେଚନା କରୁଛନ୍ତି। ସଞ୍ଚୟ ଓ ନିବେଶ ସଚେତନ ଅନେକ ବ୍ୟକ୍ତି ସୁନା ଗହଣା ହେଉ କିମ୍ବା ସୁନା କଏନ ଆଦି କିଣି ସେମାନଙ୍କ ନିବେଶକୁ ବ୍ୟାପକ କରୁଛନ୍ତି। ତେଣୁ ରାଜ୍ୟର ଗହଣା ବଜାର କେବଳ ବ୍ୟାପକ ହୋଇନାହିଁ ବେଶ୍‌ ପ୍ରତିଯୋଗିତାମୂଳକ ମଧ୍ୟ ହୋଇଯାଇଛି। ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ ପରିପ୍ରେକ୍ଷୀରେ ଆମର ଏକ ସ୍ବତନ୍ତ୍ର ଉପସ୍ଥାପନା ଅନନ୍ୟା ଅପରୂପା…..

ଧନତେରସ୍ ଓ ଅକ୍ଷୟ ତୃତୀୟାରେ ବିକ୍ରି ସର୍ବାଧିକ
ପୂର୍ବରୁ ଲୋକମାନେ ବାହାଘର ସିଜନ୍‌ରେ ଅଧିକ ଗହଣା କିଣୁଥିଲେ। କିନ୍ତୁ ଏବେ ବାହାଘର ସିଜନ୍‌ ସହିତ ଧନତେରସ୍ ଏବଂ ଅକ୍ଷୟ ତୃତୀୟାରେ ସବୁଠୁ ଅଧିକ ଗହଣା କିଣୁଛନ୍ତି। ଦର ଏବଂ ପାଗ ଠିକ୍ ରହିଲେ ଧନତେରସ୍ ଏବଂ ଅକ୍ଷୟ ତୃତୀୟା ଭଳି ଦିନରେ ପାଖାପାଖି ୨୦୦ କୋଟି ଲେଖାଏଁର ଗହଣା ବିକ୍ରି ହେଉଛି। ବର୍ଷେ ବର୍ଷେ ଏତେ ଭିଡ଼ ଦେଖିବାକୁ ମିଳୁଛି ଯେ ଗହଣା କିଣିବା ପାଇଁ ସହରର ମୁଖ୍ୟ ରାସ୍ତାଗୁଡ଼ିକର ଟ୍ରାଫିକ୍‌ ଜାମ୍ ହୋଇଯାଉଛି। ପୂର୍ବରୁ ଧନିକ ଶ୍ରେଣୀ ଲୋକ ଏସବୁ ପର୍ବରେ ଗହଣା କ୍ରୟ କରୁଥିଲେ। କିନ୍ତୁ ଏବେ ସବୁବର୍ଗର ଗ୍ରାହକ ଗହଣା କିଣିବାକୁ ଆଗେଇ ଆସୁଛନ୍ତି। ବିଶ୍ବାସ ସେମାନଙ୍କୁ ଏଥିପାଇଁ ପ୍ରେରଣା ଯୋଗାଉଛି। ଏସବୁ ଦିନରେ ଗ୍ରାହକ ଯେଭଳି ଅଧିକ ମାତ୍ରାରେ ଗହଣା କିଣିପାରିବେ ସେଥିପାଇଁ ସୋ’ରୁମ ଗୁଡ଼ିକ ପସନ୍ଦ ଅନୁସାରେ ‌ ବିଭିନ୍ନ ଡିଜାଇନ ଏବଂ ମୂଲ୍ୟର ଗହଣା ଉପଲବ୍ଧ କରାଉଛନ୍ତି।

ରୁପାରେ ପାଉଁଞ୍ଜି, ଚେନ୍, ମୁଦି
ସୁନା ଓ ହୀରାର ଭିଡ଼ ଭିତରେ ରୁପା ଏହାର ଚମକ ଆଜି ପର୍ଯ୍ୟନ୍ତ ହରାଇନାହିଁ। ରୁପା ଗହଣାର ଏକ ସ୍ବତନ୍ତ୍ର ସେକ୍‌ସନ୍ ପ୍ରାୟ ସବୁ ଅଳଙ୍କାର ଦୋକାନରେ ଦେଖିବାକୁ ମିଳୁଛି। ରୁପା ଏଭଳି ଏକ ଧାତବ ପଦାର୍ଥ ଯାହାକୁ ସମାଜର ସବୁ ବର୍ଗର ଲୋକମାନେ ବିଶେଷ କରି ନିମ୍ନ ଆୟ ବର୍ଗର ଲୋକମାନେ କିଣିପାରୁଛନ୍ତି। ରୁପାରେ ପାଉଁଞ୍ଜି ସବୁଠୁ ଅଧିକ ବିକ୍ରି ହୋଇଥାଏ। ନିତିଦିନିଆ ବ୍ୟବହାର ଠାରୁ ଆରମ୍ଭ କରି ବିବାହ କାର୍ଯ୍ୟ ପର୍ଯ୍ୟନ୍ତ ମହିଳାମାନଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ରୁପା ପାଉଁଞ୍ଜି। ଭଳିକି ଭଳି ରୁପା ମୁଦି ଓ ଚେନ୍‌ ମଧ୍ୟ ‌ସୋ’ରୁମ୍‌ରେ ଦେଖିବାକୁ ମିଳୁଛି। ରୁପାରେ ଆଉ ଏକ ସାମଗ୍ରୀ ଯାହା ଚାହିଦାରେ ରହିଛି ତାହା ହେଉଛି ପୁରୁଷମାନଙ୍କ ବ୍ରେସ୍‌ଲେଟ୍‌ ଓ ଖଡ଼ୁ। ପୁରୁଷ ଫେସନର ତାହା ଏକ ଗୁରୁତ୍ବପୂର୍ଣ୍ଣ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ବିଶେଷ କରି ଯୁବକମାନେ ତାହାକୁ ଅଧିକ କିଣୁଛନ୍ତି। ଓଡ଼ିଶାରେ ଚାନ୍ଦି ଭଣ୍ଡାର ନାମରେ ଏକ ସମ୍ପୂର୍ଣ୍ଣ ରୁପା ଭିତ୍ତିକ ସୋ’ରୁମ୍ ରହିଛି। ଅନେକ ଜଣାଶୁଣା ସାମଗ୍ରୀ ଠାରୁ ଆରମ୍ଭ କରି ଗ୍ଲାସ୍‌, ବାସନକୁସନ, ଚିଭ ଛେଲା ଆଦି ବହୁ ପ୍ରକାର ସାମଗ୍ରୀ ବିକ୍ରି ହେଉଛି। ଉପହାର ଲାଗି ମଧ୍ୟ ରୁପାର ଏକ ସ୍ବତନ୍ତ୍ର ସେକ୍ସନ୍ ରହିଛି। ବହୁ ବଡ଼ ବଡ଼ କାର୍ଯ୍ୟକ୍ରମରେ ରୁପାରେ ତିଆରି କୋଣାର୍କ ଚକ୍ର, ଜଗନ୍ନାଥ-ସୁଭଦ୍ରା-ବଳଭଦ୍ର ମୂର୍ତ୍ତି ଆଦିକୁ ସମ୍ବର୍ଦ୍ଧନା ଦେବା ଲାଗି ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର