ସୁନା ୪୦ ହଜାର ଟପିଲା

ନୂଆଦିଲ୍ଲୀ(ପିଟି)/ଭୁବନେଶ୍ବର (ଇମିସ): ସୁନା ଦର ଆଜି ପ୍ରଥମ ଥର ପାଇଁ ରେକର୍ଡ ୪୦ ହଜାର ଟଙ୍କା ଅତିକ୍ରମ କରିଛି। ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୈତିକ ମାନ୍ଦାବସ୍ଥାର ଭୟ ନିବେଶକମାନଙ୍କୁ ଘାରିଥିବାରୁ ସୁନା ଚାହିଦା ବଢ଼ିଯାଇଛି। ଫଳରେ ଏହାର ଦର ଉପରକୁ ଉଠିବାରେ ଲାଗିଛି। ଗତକାଲି ସୁନା ଦର ୧୦ ଗ୍ରାମ ପିଛା ୩୦୦ ଟଙ୍କା ବୃଦ୍ଧି ଘଟି ୩୯,୯୭୦ ଟଙ୍କାରେ ପହଞ୍ଚିଥିବାବେଳେ ଆଜି ଏଥିରେ ୨୫୦ ଟଙ୍କା ବୃଦ୍ଧି ଘଟି ୪୦,୨୨୦ ଟଙ୍କା ଛୁଇଁଛି। ସେହିଭଳି ରୁପା ଦର ମଧ୍ୟ ବଢ଼ିବାରେ ଲାଗିଛି। ଶିଳ୍ପ ପ୍ରତିଷ୍ଠାନ ଏବଂ ମୁଦ୍ରା ନିର୍ମାତାଙ୍କ ମଧ୍ୟରେ ରୁପା ଚାହିଦା ମାତ୍ରାଧିକ ବୃଦ୍ଧି ଘଟିଥିବାରୁ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ଘଟି ୪୯,୦୫୦ ଟଙ୍କାରେ ପହଞ୍ଚିଛି। ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୦,୨୨୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୦,୦୫୦ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରରେ ବି ଆଜି ସୁନା ଦର ବୃଦ୍ଧି ପାଇଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୩୧୦ ଟଙ୍କା ବୃଦ୍ଧି ଘଟି ୪୦,୯୯୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୨୮୦ ଟଙ୍କା ବୃଦ୍ଧି ଘଟି ୩୮,୯୮୦ ଟଙ୍କା ରହିଛି। ସେହିଭଳି ରୁପା ଦର ଆଜି କିଲୋଗ୍ରାମ ପିଛା ୮୦୦ ଟଙ୍କା ବୃଦ୍ଧି ଘଟି ୪୭,୮୦୦ ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର