କମୁଛି ଆମେରିକା-ଇରାନ ଉତ୍ତେଜନା : କ୍ରମାଗତ ୩ୟ ଦିନ ପାଇଁ ସୁନାଦର ହ୍ରାସ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ସହ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ହ୍ରାସ ପାଉଛି । ଏହା ଫଳରେ ସୁନା ଦର ସ୍ୱାଭାବିକ ହେବାରେ ଲାଗିଛି । କିଛି ଦିନ ତଳେ ୪୦ ହଜାର ଉପରକୁ ଚାଲିଯାଇଥିବା ସୁନା ଏବେ ୪୦ ହଜାର ତଳକୁ ଖସିଯାଇଛି ।
ଗତ କାଲି ସ୍ପଟ ବଜାରରେ ୯୭୦ ଟଙ୍କା ହ୍ରାସ ପାଇଥିବା ସୁନା ଆଜି ଆହୁରି ୨୭୧ ଟଙ୍କା ହ୍ରାସ ପାଇ ୩୯,୬୧୦ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ କିଲୋଗ୍ରାମ ପିଛା ୪୬,୩୬୫ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାଦର ଆଉନ୍ସ ପିଛା ୧୫୫୦ ଡଲାରକୁ ହ୍ରାସ ପାଇଛି । ଗୁରୁବାରଦିନ ଏହା ଆଉନ୍ସ ପିଛା ୧୫୬୧ ଡଲାରକୁ ଖସିଆସିଥିଲା । ରୁପା ମଧ୍ୟ ଆଉନ୍ସ ପିଛା ୧୮ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

କେବଳ ସ୍ପଟ ବଜାର ନୁହେଁ ଫ୍ୟୁଚର ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇଛି । ଫ୍ୟୁଚର ବଜାରର ଅର୍ଥ ହେଉଛି ଭବିଷ୍ୟତର କୌଣସି ଏକ ସମୟସୀମା ପାଇଁ ବର୍ତ୍ତମାନ ସମୟରେ ଦର ନିର୍ଦ୍ଧାରଣ । ଏମସିଏକ୍ସରେ ଫେବ୍ରୁଆରି ମାସ ପାଇଁ ସୁନାଦର ୧୦ ଗ୍ରାମ ପିଛା ୮୧ ଟଙ୍କା ହ୍ରାସ ପାଇ ୩୭,୭୪୯ ଟଙ୍କାରେ ପହଞ୍ଚିଛି ।

ଅନ୍ୟପକ୍ଷରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ମଧ୍ୟ ହ୍ରାସ ପାଇଛି । ଡବ୍ଲୁଟିଆଇ କ୍ରୁଡ ୦.୪ପ୍ରତିଶତ ହ୍ରାସ ପାଇ ୫୯.୩୨ ଡଲାରରେ ପହଞ୍ଚିଛି । ସେହିପରି ବ୍ରେଣ୍ଟ କ୍ରୁଡ ୦.୨୯ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୬୫.୧୮ ଡଲାରରେ ପହଞ୍ଚିଛି । ଇଣ୍ଡିଆନ ବାସ୍କେଟ କ୍ରୁଡ ମୂଲ୍ୟ ୬୯ ଡଲାର ରହିଛି ।

ସମ୍ବନ୍ଧିତ ଖବର