ସୁନା ଦର ୬ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ସୁନା ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ୧୦ ଗ୍ରାମ ପିଛା ସୁନାର ମୂଲ୍ୟ ୩୩,୬୫୦ ଟଙ୍କା ହୋଇଯାଇଛି। ସେୟାର ବଜାରରେ ନିବେଶକମାନେ ସେୟାର ବିକ୍ରି କରିଦେଉଥିବା ବେଳେ ସୁନାର ଚାହିଦା ବଢ଼ିବା ଯୋଗୁ ଏହାର ଦର ମଧ୍ୟ ବଢ଼ିଛି। ପିପି ଜୁଏଲର୍ସର ଉପାଧ୍ୟକ୍ଷ ପବନ ଗୁପ୍ତା କହିଛନ୍ତି ଯେ, ବିବାହ ଋତୁ ଯୋଗୁ ଦେଶ ଭିତରେ ସୁନା ଚାହିଦା ବଢ଼ିଛି। ମାର୍ଚ ମାସ ପର୍ଯ୍ୟନ୍ତ ବିବାହ ଋତୁ ରହିବ। ଏହି ସମୟ ଭିତରେ ଯଦି ସୁନା ଦର ବଢ଼ି ବଢ଼ି ଚାଲିବ ତେବେ ୩୪ ହଜାର ଟଙ୍କା ସ୍ତର ମଧ୍ୟ ପାର ହୋଇଯାଇପାରେ ବୋଲି ସେ କହିଛନ୍ତି। ଗତ ସୋମବାର ଦିନ ସୁନା ଦର ଗୋଟିଏ ଦିନରେ ୩୫୦ ଟଙ୍କା ବଢ଼ିଥିଲା। ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ଦର ବଢ଼ିଛି। ଲଣ୍ଡନ ଏକ୍ସଚେଞ୍ଜ୍‌ରେ ସୁନାର ଆଉନ୍ସ ପିଛା ଦର ୧୩୦୦ ଡଲାର ହୋଇଯାଇଛି। ଆମେରିକାର ଫେଡେରାଲ୍ ରିଜର୍ଭ ଯଦି ପୁଣି ଥରେ ସୁଧ ହାର ବୃଦ୍ଧି କରିବ ତେବେ ସୁନା ଦର ଆହୁରି ବଢ଼ିବ ବୋଲି କୁହାଯାଉଛି। ଆମେରିକା ସମେତ ବିଶ୍ବର ଅନେକ ଦେଶର ଷ୍ଟକ ବଜାରରେ ଅସ୍ଥିରତା ଲାଗି ରହିଛି। ଏଭଳି ପରିସ୍ଥିତି ଭଲ ରିଟର୍ଣ୍ଣ ପାଇବା ପାଇଁ ନିବେଶକମାନେ ସୁନାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ। ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ମଧ୍ୟ ସୁନା‌ ଦର ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର