ସୁନା ଦାମ୍‌ ୪୦ ହଜାର

ନୂଆଦିଲ୍ଲୀ : ସୁନା ଦାମ୍‌ରେ ଆଜି ୩୦୦ ଟଙ୍କାର ବୃଦ୍ଧି ହୋଇଛି। ଏଥି ସହିତ ୧୦ ଗ୍ରାମ ସୁନାର ମୂଲ୍ୟ ୪୦ ହଜାର ଟଙ୍କା ପାଖାପାଖି ପହଞ୍ଚିଯାଇଛି। ନୂଆଦିଲ୍ଲୀରେ ସୁନାର ମୂଲ୍ୟ ୩୯,୯୭୦ ଟଙ୍କା ହୋଇଛି। ଗହଣା ନିର୍ମାଣ କରୁଥିବା କଂପାନିଗୁଡ଼ିକ ଅଧିକ ମାତ୍ରାରେ ସୁନା କିଣୁଥିବାରୁ ଏହାର ଦାମ୍ ବଢ଼ୁଛି। ରୁପା ଦାମ୍‌ରେ ମଧ୍ୟ ଆଜି ବଡ଼ ଧରଣର ବୃଦ୍ଧି ଘଟିଛି। ଏକ କେଜି ରୁପାର ମୂଲ୍ୟ ୨୧୧୦ ଟଙ୍କା ବୃଦ୍ଧି ପାଇ ୪୮,୮୫୦ ଟଙ୍କା ହୋଇଯାଇଛି। ଶିଳ୍ପ ସଂସ୍ଥା ଓ କଏନ ନିର୍ମାତାମାନେ ଅଧିକ ରୁପା କିଣିବା ଯୋଗୁ ରୁପା ଦାମ୍ ବଢ଼ିଛି। ସୁନା ଓ ରୁପା ଦାମ୍ ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ମୁଖ୍ୟତଃ ଦୁଇଟି କାରଣ ଯୋଗୁ ସୁନା ଦର ବଢ଼ୁଛି। ଉତ୍ସବ ଋତୁର ଚାହିଦା ପୂରଣ କରିବା ଲାଗି ଗହଣା ନିର୍ମାତାମାନେ ଅଧିକ ସୁନା କିଣୁଛନ୍ତି। ଦ୍ବିତୀୟ ନିବେଶକମାନେ ମଧ୍ୟ ସୁନା କିଣିବା ମାତ୍ରା ବଢ଼ାଇ ଦେଇଛନ୍ତି। ସେଥିପାଇଁ ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୫୪୩ ଡଲାର ହୋଇଯାଇଛି। ଆନ୍ତର୍ଜାତିକ ବଜାରରେ ସୁନା ଦାମ୍ ଛଅ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ମାନ୍ଦାବସ୍ଥାର ଭୟ ଯୋଗୁ ନିବେଶକମାନେ ସେୟାର ବଜାରରେ ପୁଞ୍ଜି ଖଟାଇବା ବଦଳରେ ତାହାକୁ ସୁନା କିଣିବାରେ ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର