ଭୁବନେଶ୍ବର: ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଉଭୟ ସୁନା ଓ ରୁପା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ମଙ୍ଗଳବାର ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦାମ୍‌ ୨୬୨୦ ଟଙ୍କା ବୃଦ୍ଧି ପାଇ ୧,୧୫,୬୯୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୪୦୦ ଟଙ୍କା ବଢ଼ି ୧,୦୬,୦୫୦ ଟଙ୍କା ହୋଇଛି। ଗତ ପାଞ୍ଚ ଦିନ ମଧ୍ୟରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୪୧୫୦ ଟଙ୍କା ବଢ଼ିଛି। ଏହା ଲଗାତାର ଭାବେ ଏକ ଲକ୍ଷ ଟଙ୍କା ଉପରେ ରହିଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୪୩୭୦ ଟଙ୍କା ବଢ଼ିଥିବା ବଜାର ତଥ୍ୟରୁ ଜଣାପଡ଼ିଛି। 

Advertisment

ଭାରତ ଉପରେ ଆମେରିକା ଲଗାଇଥିବା ଶୁଳ୍କ ଏବଂ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍‌-୧ବି ଭିସା ଫି’କୁ ୧,୦୦,୦୦୦ ଡଲାରକୁ ବଢ଼ାଇଥିବାରୁ ସୁନା ମହଙ୍ଗା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରୁପା କେଜି ପ୍ରଥମ ଥର ପାଇଁ ଦେଢ଼ ଲକ୍ଷ ଟଙ୍କା ସ୍ତର ସ୍ପର୍ଶ କରିଛି। ମଙ୍ଗଳବାର ରୁପାର କିଲୋପିଛା ଦାମ୍ ୨୦୦୦ ଟଙ୍କା ବୃଦ୍ଧି ପାଇ ୧,୫୦,୦୦୦ ଟଙ୍କା ହୋଇଛି। ଗତ ପାଞ୍ଚ ଦିନରେ ରୁପା ଦାମ୍ ୯୦୦୦ ଟଙ୍କା ବଢ଼ିଛି। 

ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୨୧୫୯ ଟଙ୍କା ବୃଦ୍ଧି ପାଇ ୧,୧୪,୩୧୪ ଟଙ୍କା ହୋଇଛି ବୋଲି ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି, ରୁପା କେଜି ୨୩୯୮ ଟଙ୍କା ବୃଦ୍ଧି ପାଇ ୧,୩୫,୨୬୭ ଟଙ୍କା ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦାମ୍ ୩୮,୧୫୨ ଟଙ୍କା ଓ ରୁପା ମୂଲ୍ୟ ୪୯,୨୫୦ ଟଙ୍କା ବଢ଼ିସାରିଳାଣି। ୨୦୨୪ ଡିସେମ୍ବର ୩୧ରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୬,୧୬୨ ଟଙ୍କା ଓ ରୁପା କେଜି ୮୬,୦୧୭ ଟଙ୍କା ଥିଲା।ପାର୍ବଣ ସମୟରେ ସୁନା ଓ ରୁପା ଦରରେ ଏଭଳି ବୃଦ୍ଧି ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେ‌ଷ କରିବ ବିବାହ କାର୍ଯ୍ୟ ଲାଗି ସୁନା ଅଳଙ୍କାର କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ଏହା ଏକ କଠିନ ସମୟ ସାବ୍ୟସ୍ତ ହୋଇଛି।