ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବରରେ ସୁନା ଦର ବେଲଗାମ ହୋଇଛି। ବୁଧବାର ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦାମ୍ ୨୪୦୦ ଟଙ୍କା ବଢ଼ିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦାମ୍ ୨୨୦୦ ଟଙ୍କା ମହଙ୍ଗା ହୋଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୮୯,୩୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୯୭,୪୨୦ ଟଙ୍କା ହୋଇଛି। ଗତ କିଛି ଦିନ ଧରି ସୁନା ଦରରେ ଯେଉଁ ସାମାନ୍ୟ ସ୍ଥିରତା ଫେରିଥିଲା, ତାହା ପୁଣି ଥରେ ଉଭାନ୍ ହୋଇଯାଇଛି। ସୁନା ଦର ପୁଣି ଉପରମୁହାଁ ହେବା ଗ୍ରାହକଙ୍କ ଚିନ୍ତା ବଢ଼ାଇଛି।

Advertisment

କେବଳ ସୁନା ନୁହେଁ, ବୁଧବାର ରୁପା ମଧ୍ୟ ବେଶ୍ ମହଙ୍ଗା ହୋଇଛି। ଏହାର କେଜି ପିଛା ଦାମ୍ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୧,୦୦୦ ଟଙ୍କା ହୋଇଯାଇଛି। ଫଳରେ ବିବାହ ଲାଗି ପାଉଁଜି, ଗୋଡ଼ ମୁଦି ଆଦି କିଣୁଥିବା ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ସୁନା ଭଳି ରୁପା ଦରରେ ବୃଦ୍ଧି ବିବାହ କିଣାକିଣି କରୁଥିବା ଗ୍ରାହକଙ୍କ ଆର୍ଥିକ ବୋଝକୁ ବହୁତ ବଢ଼ାଇ ଦେଇଛି। କେବଳ ଭୁବନେଶ୍ବର ନୁହେଁ, ବୁଧବାର ଜାତୀୟ ସ୍ତରରେ ମଧ୍ୟ ସୁନା ମହଙ୍ଗା ହୋଇଛି। ଦିଲ୍ଲୀରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୬୪୫ ଟଙ୍କା ବୃଦ୍ଧି ପାଇ ୯୫,୪୫୨ ଟଙ୍କା ହୋଇଛି। ରୁପା ଦାମ୍ ମଧ୍ୟ ୧୭୭୫ ଟଙ୍କା ବଢ଼ି ୯୭,୪୭୫ ଟଙ୍କା ହୋଇଛି। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ୍ ୨୧ରେ ସୁନା ଦାମ୍ ୯୯,୧୦୦ ଟଙ୍କା ଓ ରୁପା କେଜି ୧,୦୦,୯୩୪ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ଓଡ଼ିଶାରେ ସୁନା ଦାମ୍ ଏକ ଲକ୍ଷ ଟଙ୍କା ଓ ରୁପା ଦର ୧ ଲକ୍ଷ ୧୩ ହଜାର ଟଙ୍କାରୁ ଅଧିକ ହୋଇଯାଇଥିଲା। 

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦାମ୍ ୧୯,୨୯୦ ଟଙ୍କା ବଢ଼ିସାରିଲାଣି। ୨୦୨୫ ଜାନୁଆରି ୧ରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୬,୧୬୨ ଟଙ୍କା ଥିଲା। ଇତି ମଧ୍ୟରେ ତାହା ୯୫,୪୫୨ ଟଙ୍କାକୁ ବୃଦ୍ଧି ପାଇସାରିଲାଣି। ସେହି ସମୟ ଭିତରେ ରୁପା କେଜି ୧୧,୪୫୮ ଟଙ୍କା ବୃଦ୍ଧି ପାଇ ୯୭,୪୭୫ ଟଙ୍କା ହୋଇଛି। ୨୦୨୪ ବର୍ଷ ସାରାରେ ସୁନା ଦର ୧୨,୮୧୦ ଟଙ୍କା ବଢ଼ିଥିଲା। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଚଳିତ ବର୍ଷ ଶେଷ ଆଡ଼କୁ ସୁନାର ୧୦ ଗ୍ରାମ ପିଛା ଦାମ୍ ୧,୧୦,୦୦୦ ଟଙ୍କାରୁ ଅଧିକ ହୋଇଯିବାର ସମ୍ଭାବନା ରହିଛି।