ସବୁଠୁ ମହଙ୍ଗା ହେବ ଏବର୍ଷର ଅକ୍ଷୟ ତୃତୀୟା, ରେକର୍ଡ କାଟିବ ସୁନାଦର

ନୂଆଦିଲ୍ଲୀ-ଆସନ୍ତା ବୁଧବାରଦିନ ଅକ୍ଷୟ ତୃତୀୟା ପଡୁଛି । ଭାରତୀୟ ସଂସ୍କୃତିରେ ଏକ ଶୁଭ ଦିନ । ଏହି ଦିନ ସୁନା କିଣିଲେ ପରିବାରର ସୁଖସମୃଦ୍ଧି ବଢିଥାଏ ବୋଲି ବିଶ୍ୱାସ କରାଯାଏ । ଏଥିପାଇଁ ଏବେଠାରୁ ସୁନାଗହଣା ଦୋକାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର ଅଫରମାନ ଘୋଷଣା କଲେଣି । ଗ୍ରାହକମାନେ ମଧ୍ୟ ସୁନା କିଣିବାକୁ ତୟାର ହେଲେଣି । କିନ୍ତୁ ଏ ବର୍ଷ ସୁନା ଦର କେତେ ରହିବ? ଏହା ହିଁ ଏକ ବଡ଼ ପ୍ରଶ୍ନ । ବିଶେଷଜ୍ଞମାନଙ୍କ ମତରେ ଏବର୍ଷର ଅକ୍ଷୟ ତୃତୀୟା ବେଶ ବ୍ୟୟବହୁଳ ହୋଇପାରେ । କାରଣ ସୁନା ଦର ଏବେ ନିୟମିତଭାବେ ବଢିଚାଲିଛି । ଶନିବାରଦିନ ସୁନାଦର ୧୦ ଗ୍ରାମ ପିଛା ୩୨,୩୦୦ ଟଙ୍କା ଟପିଯାଇଛି । ଅକ୍ଷୟ ତୃତୀୟା ବେଳକୁ ଏହା ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ସିରିୟାରେ ଆମେରିକା ଓ ତାହାର ମିତ୍ରରାଷ୍ଟ୍ରମାନଙ୍କ ଦ୍ୱାରା ଆକ୍ରମଣ ପରେ ବିଶ୍ୱସ୍ତରରେ ଉତ୍ତେଜନା ବୃଦ୍ଧି ପାଉଛି । ଏହାଫଳରେ ନିବେଶକମାନେ ସୁନାରେ ନିବେଶ କରିବାକୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଏଣୁ ସୁନା ଦର ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଉଛି । ବିଗତ ଅନେକ ବର୍ଷ ଧରି ଅକ୍ଷୟ ତୃତୀୟାରେ ସୁନା ଦର ଏତେ ଚଢା ନଥିଲା । ମଇ ୯, ୨୦୧୬ ଅକ୍ଷୟ ତୃତୀୟାରେ ସୁନାଦର ୨୯,୮୬୦ ଟଙ୍କା ଥିଲା । ଗତ ବର୍ଷ ଅକ୍ଷୟ ତୃତୀୟାରେ ଏହା ୨୮,୮୬୧ ଟଙ୍କା ଥିଲା ।

ସମ୍ବନ୍ଧିତ ଖବର