ନୂଆଦିଲ୍ଲୀ/ଭୁବନେଶ୍ବର: ଅନେକ ଦିନ ଧରି ଉପରମୁହାଁ ରହିଥିବା ସୁନା ଦରଗତ ତିନି ଦିନ ଧରି ଖସୁଛି। ପ୍ରତ୍ୟେକ ଦିନକୁ ୪୦୦-୫୦୦ ଟଙ୍କାର ହ୍ରାସ ହେଉଛି। ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ଶୁକ୍ରବାର ୫୦୦ ଟଙ୍କା ହ୍ରାସ ପାଇ ୭୯,୬୦୦ ଟଙ୍କାକୁ ଖସିଆସିଛି। ସେହିପରି, ୨୪ କ୍ୟାରେଟ୍‌ ସୁନା ଦାମ୍‌ ୫୪୦ ଟଙ୍କା ହ୍ରାସ ପାଇ ୮୬,୮୪୦ ଟଙ୍କା ହୋଇଛି। ଭୁବନେଶ୍ବରରେ ଗତ ୧୦ ଦିନରୁ ଅଧିକ ସମୟ ଧରି ୨୨ କ୍ୟାରେଟ୍‌ ସୁନା ଦାମ୍ ୮୦ହଜାର ଟଙ୍କାରୁ ଅଧିକ ଥିଲା। ଫେବ୍ରୁଆରି ୧ ତାରିଖରେ ୨୨ କ୍ୟାରେଟ୍‌ ସୁନା ଦାମ୍ ଥିଲା ୭୭,୪୫୦ ଟଙ୍କା। ୨୮ ଦିନ ଭିତରେ ସେଥିରେ ୨୧୫୦ ଟଙ୍କା ବୃଦ୍ଧି ଘଟିଛି। ଫେବ୍ରୁଆରି ୨୫ରେ ଏହାର ଦାମ୍ ସର୍ବୋଚ୍ଚ ୮୦,୭୫୦ ଟଙ୍କା ଥିଲା। ସେହିପରି, ମାସ ଆରମ୍ଭରେ ୨୪ କ୍ୟାରେଟ୍ ସୁନା ଦାମ୍ ୮୪,୪୯୦ ଟଙ୍କା ଥିଲା। ମାସକ ଭିତରେ ସେଥିରେ ୨୩୫୦ ଟଙ୍କାର ବୃଦ୍ଧି ଘଟିଛି। ଫେବ୍ରୁଆରି ୨୫ରେ ଏହାର ଦାମ୍ ସର୍ବାଧିକ ୮୮,୦୯୦ ଟଙ୍କା ଥିଲା। ଭୁବନେଶ୍ବରରେ ରୁପା କେଜି ମଧ୍ୟ ୧,୦୫,୦୦୦ ଟଙ୍କାକୁ ହ୍ରାସ ପାଇଛି ଯାହା କିଛି ଦିନ ପୂର୍ବେ ୧,୦୮,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। 

Advertisment

ଦର ହ୍ରାସ ସମ୍ପର୍କରେ ଲାଲ୍‌ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ଯେଉଁମାନେ ଗହଣା କିଣିବାକୁ ଚାହୁଛନ୍ତି, ସେମାନେ ଅଳ୍ପ ଅଳ୍ପ ସୁନା କିଣିନେବା ବୁଦ୍ଧିମାନର କାର୍ଯ୍ୟ ହେବ। ସେ କହିଲେ, ମୁଁ ପୂର୍ବରୁ ଆକଳନ କରିଥିଲି ଫେବ୍ରୁଆରି ଶେଷ ଆଡ଼କୁ କିମ୍ବା ମାର୍ଚ୍ଚ ପ୍ରଥମାର୍ଧରେ ସୁନା ମୂଲ୍ୟରେ ୩୦୦୦-୪୦୦୦ ଟଙ୍କା ଭଳି ହ୍ରାସ ହେବ। ଏବେ ଯେଉଁ ହ୍ରାସ ହେଉଛି, ତାହା ଅଳ୍ପ ପରିମାଣର। ଆଗକୁ ଆହୁରି ଦର କମିବା ସମ୍ଭାବନା ରହିଛି। କାରଣ ଅକ୍ଷୟ ତୃତୀୟା ଆସିଗଲେ, ସୁନା ଦାମ୍ ପୁଣି ବଢ଼ିବ। ତେଣୁ ଯେଉଁମାନେ ୧୦ ଗ୍ରାମ ସୁନା କିଣିବାକୁ ଚାହୁଛନ୍ତି, ସେମାନେ ଏବେ ତିନି ଗ୍ରାମର କିଣିନିଅନ୍ତୁ। ଆଉ ଟିକେ ଦାମ୍ କମିଲେ, ଆଉ କିଛି ସୁନା କିଣିନେବେ। ସେହି ରଣନୀତି ରଖି କିଣାକିଣି କଲେ ଦରବୃଦ୍ଧି ବାଧିବ ନାହିଁ ବୋଲି ସେ କହିଛନ୍ତି।