ବଢିଚାଲିଛି ସୁନା ଦର, ଅନ୍ତର୍ଜାତୀୟ ବଜାରରେ ୭ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ : ବିଶ୍ୱ ଅର୍ଥନୀତିରେ ଏକ ବଡ଼ଧରଣର ମାନ୍ଦାବସ୍ଥା ଦେଖାଯିବାର ଆଶଙ୍କା ମଧ୍ୟରେ ସୁନାଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଗତ ୭ ବର୍ଷର ସର୍ବୋଚ୍ଚ ସ୍ତର ଆଉନ୍ସ ପିଛା ୧୭୨୪.୭୨ କୁ ବୃଦ୍ଧି ପାଇଛି । ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ିବା ଆରମ୍ଭ ହୋଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୨ ହଜାର ଟଙ୍କା ଓ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୫ ହଜାରକୁ ବୃଦ୍ଧି ପାଇଛି । ତେବେ ଆଗକୁ ଏହି ବୃଦ୍ଧି ଅବ୍ୟାହତ ରହିବା ଆଶଙ୍କା କରାଯାଉଛି ।

କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିବା ଫଳରେ ଅଧିକାଂଶ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହା ଫଳରେ ବିଭିନ୍ନ କଳକାରଖାନା, ବ୍ୟବସାୟ, ଗମାନଗମନ ବନ୍ଦ ଅଛି । ଏହା ଦ୍ୱାରା ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ନିବେଶକମାନେ ଷ୍ଟକ ବଜାରରେ ନିବେଶ କରିବା ସୁରକ୍ଷିତ ମନେକରୁନାହାନ୍ତି । ଏଥିପାଇଁ ସେମାନେ ସୁନାରେ ନିବେଶ କରୁଛନ୍ତି । ଏହିକାରଣରୁ ସୁନାଦର ବଢୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସମ୍ବନ୍ଧିତ ଖବର