ପାର୍ବଣରେ ବଢିଚାଲିଛି ସୁନାଦର , କ୍ରମାଗତ ୪ର୍ଥ ସପ୍ତାହ ପାଇଁ ବଢିଲା

ନୂଆଦିଲ୍ଲୀ : କ୍ରମାଗତ ୪ର୍ଥ ସପ୍ତାହ ପାଇଁ ସୁନାଦର ବୃଦ୍ଧି ପାଇଛି । ଚଳିତ ସପ୍ତାହରେ ସୁନା ୧୦ ଗ୍ରାମ ପିଛା ୨୨୦ ଟଙ୍କା ବୃଦ୍ଧି ପାଇ ୩୨,୨୭୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବ ଓ ପାର୍ବଣ ଋତୁରେ ଘରୋଇ ବଜାରରେ ସୁନା କ୍ରୟ ବୃଦ୍ଧି ଫଳରେ ଏହି ଦରବୃଦ୍ଧି ହୋଇଥିବା ଜଣାଯାଇଛି । ସେହିପରି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସୁନା ଆମଦାନୀ ମହଙ୍ଗା ହୋଇଛି । ଏଥିପାଇଁ ମଧ୍ୟ ସୁନାଦର ବଢୁଛି । ତେବେ ଚଳିତ ସପ୍ତାହରେ ରୁପାଦର କିଲୋଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ପାଇ ୩୯,୬୦୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ରୁପା କ୍ରୟ ବୃଦ୍ଧି ଯୋଗୁଁ ଏହା ହୋଇଛି ।
ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୨,୨୭୦ ଓ ୩୨,୧୨୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ବୃଦ୍ଧି ପାଇଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୨୨୭ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର