ଧନତେରସର ଗୋଟିଏ ଦିନ ପରେ… ସୁନା ବେପାର ମାନ୍ଦା, ଦର କମିଲା

ନୂଆଦିଲ୍ଲୀ : ଗତକାଲି ଧନତେରସରେ ସୁନାଦର ଚଢା ରହିଥିଲା । ଲୋକମାନେ ସୁନାଦୋକାନରେ ପ୍ରବଳ ଭିଡ କରି ଥିଲେ । କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନା ବିକ୍ରି ହୋଇଥିଲା । କିନ୍ତୁ ଆଜି ଅର୍ଥାତ ଧନତେରସର ପରଦିନ ସୁନା ଦୋକାନରେ ଭିଡ ନାହିଁ । ଏହି କାରଣରୁ ସୁନା ବେପାର ଆଜି ମାନ୍ଦା । ଏହାଫଳରେ ଦର ୧୦ ଗ୍ରାମ ପିଛା ପ୍ରାୟ ୮୦ ଟଙ୍କା କମି ୩୨୬୧୦ ଟଙ୍କାରେ ପହଞ୍ଚିଛି । ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୮୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୨,୬୧୦ ଓ ୩୨,୪୬୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୨୨୯.୩୦ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ । ଚଳିତ ସପ୍ତାହରେ ରୁପା ମଧ୍ୟ କିଲୋଗ୍ରାମ ପିଛା ୨୪୦ ଟଙ୍କା ହ୍ରାସ ପାଇ ୩୯,୩୦୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ରୁପା କ୍ରୟ ହ୍ରାସ ଯୋଗୁଁ ଏହା ହୋଇଛି ।

ସମ୍ବନ୍ଧିତ ଖବର