ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିବାରୁ ତାହାର ପ୍ରଭାବ ଉଭୟ ସୁନାଦର ଓ ତେଲଦର ଉପରେ ପଡ଼ିଛି । ଏହା ସହିତ ଡଲାର ତୁଳନାରେ ଭାରତୀୟ ଟଙ୍କା ସୁଦୃଢ ହୋଇଛି ।

Advertisment

ମୁମ୍ବଇରେ ଆଜି ସୁନା ୧୦ ଗ୍ରାମ ପିଛା ୯୭୦ ଟଙ୍କା ହ୍ରାସ ପାଇ ୪୦ ହଜାର ଟଙ୍କା ତଳକୁ ଖସିବା ସହ ୩୯୮୮୧ ଟଙ୍କାରେ ପହଞ୍ଚିଛି । ଦୁଇଦିନ ତଳେ ଯୁଦ୍ଧ ଉତ୍ତେଜନା ଚରମ ସୀମାରେ ଥିବାବେଳେ ସୁନା ୧୦ ଗ୍ରାମ ପିଛା ୪୨ ହଜାର ଟଙ୍କା ଟପିଯାଇଥିଲା । ଅନ୍ୟପକ୍ଷରେ ରୁପା ମଧ୍ୟ କିଲୋଗ୍ରାମ ପିଛା ୧୪୨୦ ଟଙ୍କା ହ୍ରାସ ପାଇ ୪୬,୩୭୫ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇଛି । ୬ ତାରିଖରେ ଏହା ଗତ ୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ଆଉନ୍ସ ପିଛା ୧୬୦୦ ଡଲାରରେ ପହଞ୍ଚିଥିଲା । ଆଜି ଏହା ଆଉନ୍ସ ପିଛା ୧୫୬୧ ଡଲାରକୁ ଖସିଆସିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।
ଅନ୍ୟପକ୍ଷରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ମଧ୍ୟ ହ୍ରାସ ପାଇଛି । ଡବ୍ଲୁଟିଆଇ କ୍ରୁଡ ୦.୪୪ ପ୍ରତିଶତ ହ୍ରାସ ପାଇ ୫୯.୩୫ ଡଲାରରେ ପହଞ୍ଚିଛି । ସେହିପରି ବ୍ରେଣ୍ଟ କ୍ରୁଡ ୦.୪୭ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୬୫.୧୩ ଡଲାରରେ ପହଞ୍ଚିଛି ।