କରୋନା ପ୍ରଭାବ ? ସୁନାଦର ଗୋଟିଏ ଦିନରେ ୧ ହଜାର ଟଙ୍କା କମିଲା

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀର ପ୍ରଭାବ ସୁନା ଦର ଉପରେ ମଧ୍ୟ ପଡ଼ିଛି । ଶୁକ୍ରବାରଦିନ ରାଜଧାନୀ ଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ପ୍ରାୟ ୧ ହଜାର ଟଙ୍କା ହ୍ରାସ ପାଇ ୪୨,୬୦୦ ଟଙ୍କାରେ ପହଞ୍ଚିଛି । କରୋନା ଭାଇରସ ପ୍ରଭାବ ଓ ଡଲାର ତୁଳନାରେ ଟଙ୍କାମୂଲ୍ୟ ହ୍ରାସ କାରଣରୁ ନିବେଶକମାନେ ସୁନାରେ ଥିବା ନିଜର ନିବେଶକୁ ପ୍ରତ୍ୟାହାର କରିନେଉଥିବାରୁ ଦର କମୁଥିବା କୁହାଯାଉଛି । ଆଗକୁ ଦର ଆହୁରି ଖସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।
କେବଳ ସୁନା ନୁହେଁ, ରୁପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୧୫୭୪ ଟଙ୍କା ହ୍ରାସ ପାଇ ୪୪,୧୩୦ରେ ପହଞ୍ଚିଛି । କରୋନା ଭାଇରସ ଯୋଗୁଁ ଶିଳ୍ପ କାରଖାନାଗୁଡ଼ିକର ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ରୁପା ଚାହିଦା ହ୍ରାସ ପାଇଛି । ତେବେ ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ ପିଛା ୧୫୮୫ ଡଲାରକୁ ବୃଦ୍ଧି ପାଇଛି ।
ଆଜି ଭାରତୀୟ ଷ୍ଟକ ବଜାରରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ପ୍ରାରମ୍ଭିକ ଟ୍ରେଡିଂ ବେଳେ ଷ୍ଟକ ବଜାରକୁ ୪୫ ମିନିଟ ପାଇଁ କାରବାର ବନ୍ଦ କରିବାକୁ ପଡ଼ିଥିଲା । ତେବେ ସକାଳ ୧୦ଟା ୨୦ରେ ପୁଣି ଥରେ ଷ୍ଟକ ବଜାର ଖୋଲିବା ପରେ ସ୍ଥିତିରେ ଉନ୍ନତି ଦେଖାଯାଇଥିଲା । ସେନସେକ୍ସ ୧୩୨୫ ପଏଣ୍ଟ ବୃଦ୍ଧି ଓ ନିଫଟୀ ୩୬୫ ପଏଣ୍ଟ ବୃଦ୍ଧି ସହ ବନ୍ଦ ହୋଇଛି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ବିବୃତି ଦେଇ କରୋନା ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ରାଜ୍ୟବାସୀଙ୍କ ଲାଗି ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ଟୁଇଟ୍‌ କରି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ସଚେତନ ଓ ସତର୍କ ରହିଲେ ହିଁ ଆମେ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବାଯ ଏହି ସଚେତନଧର୍ମୀ ଭିଡ଼ିଓ ମାଧ୍ୟମରେ ନିଜେ ସଚେତନ ହେବା ସହ ନିଜ ପରିବାର, ବନ୍ଧୁ ତଥା ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ।’

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁଇଟି ପ୍ରସ୍ତାବରେ ମୋହର ଲାଗିଥିବା ଜଣାଯାଇଛି। କରୋନା ଲାଗି ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ସୂଚନାଯୋଗ୍ୟ, କରୋନା ପାଇଁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଏନେଇ ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ କରୋନାକୁ ଘୋଷଣା କରାଯାଇଥିବା ହେତୁ ମାର୍ଚ୍ଚ ୩୦ ଯାଏଁ ବିଧାନସଭା ସ୍ଥଗିତ ରଖିବାକୁ ମୁଖ୍ୟ ସଚେତକ ଗୃହରେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ସଚେତକଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର