ସୁନାଦର ୩୦୦ ଟଙ୍କା କମିଲା

ନୂଆଦିଲ୍ଲୀ: ସୋମବାରଦିନ ସୁନାଦର ୩୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରର ପ୍ରଭାବ ଓ ଦୁର୍ବଳ ଘରୋଇ ଚାହିଦା ଫଳରେ ସୁନାଦର କମିଥିବା କୁହାଯାଉଛି । ଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ୩୦୦ ଟଙ୍କା ହ୍ରାସ ପାଇ ୩୦,୨୦୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା ଦର ମଧ୍ୟ ହ୍ରାସ ପାଇଛି । କଏନ ଉତ୍ପାଦନକାରୀ ଓ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ରୁପାକ୍ରୟ ହ୍ରାସ ଫଳରେ ଦର କିଲୋଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇ ୩୯,୦୦୦ ଟଙ୍କାରେ ପହଞ୍ଚିଛି ।

ଟ୍ରେଡରମାନଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ଡଲାର ସୁଦୃଢ ହେବା ଫଳରେ ସୁନାରେ ନିବେଶ ଲାଗି ନିବେଶକମାନଙ୍କ ଆଗ୍ରହ କମିଛି । ସାଧାରଣତଃ ପୁଞ୍ଜିବଜାର ଓ ମୁଦ୍ରା ବଜାରରେ ଅସ୍ଥିରତା ଦେଖାଦେଲେ ନିବେଶକମାନେ ସୁନାରେ ନିବେଶ କରିବାକୁ ମନ ବଳାନ୍ତି । ଏଣୁ ପାରମ୍ପରିକ ଭାବେ ସୁନାରେ ନିବେଶକୁ ନିବେଶର ଏକ ନିରାପଦ ଉପାୟ ବୋଲି ଧରାଯାଏ ।

ଅନ୍ତର୍ଜାତୀୟ ବଜାରରେ ସୁନାଦର ଆଉନ୍ସ (ଏକ ଆଉନ୍ସ =୨୮.୩୪ ଗ୍ରାମ) ପିଛା ୦.୪୬ ପ୍ରତିଶତ ହ୍ରାସ ପାଇ ୧୨୭୩.୭୦ ଡଲାରରେ ପହଞ୍ଚିଛି । ରୁପାଦର ୦.୪୦ ପ୍ରତିଶତ ହ୍ରାସ ପାଇ ୧୬.୩୬ ଡଲାରରେ ପହଞ୍ଚିଛି ।

ଦିଲ୍ଲୀରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୩୦୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୦,୨୦୦ ଓ ୩୦,୦୫୦ ଟଙ୍କାରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର