ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ନାହିଁ, ସୁନାଦର ୨୩୬ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା ଆପାତତଃ ଦୂର ହୋଇଥିବାରୁ ଗତ ସପ୍ତାହରେ ରେକର୍ଡ ସ୍ତରରେ ପହଞ୍ଚିଥିବା ସୁନା ଦର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଡଲାର ତୁଳନାରେ ଟଙ୍କା ସୁଦୃଢ ହେବା ଦ୍ୱାରା ମଧ୍ୟ ସୁନାଦର ହ୍ରାସ ପାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ସୋମବାରଦିନ ସୁନାଦର ୧୦ ଗ୍ରାମ ପିଛା ୨୩୬ ଟଙ୍କା ହ୍ରାସ ପାଇଛି । ଏହି ହ୍ରାସ ସହ ଦିଲ୍ଲୀରେ ସୁନା ୪୦,୪୩୨ରେ ପହଞ୍ଚିଛି । ଗତ ଶୁକ୍ରବାର ଦିନ ସୁନାଦର ହ୍ରାସ ପାଇ ୪୦ ହଜାର ତଳକୁ ଖସିଥିଲା, କିନ୍ତୁ ଶନିବାରଦିନ ଏହା ସାମାନ୍ୟ ବୃଦ୍ଧି ପାଇ ୪୦,୬୬୮ ଟଙ୍କାରେ ପହଞ୍ଚିଥିଲା । ରୁପାଦର ମଧ୍ୟ କିଲୋଗ୍ରାମ ପିଛା ୩୭୬ ଟଙ୍କା ହ୍ରାସ ପାଇ ୪୭,୬୩୫ ଟଙ୍କାରେ ପହଞ୍ଚିଛି ।

କେବଳ ସ୍ପଟ ବଜାର ନୁହେଁ ଫ୍ୟୁଚର ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇଛି । ଫ୍ୟୁଚର ବଜାରର ଅର୍ଥ ହେଉଛି ଭବିଷ୍ୟତର କୌଣସି ଏକ ସମୟସୀମା ପାଇଁ ବର୍ତ୍ତମାନ ସମୟରେ ଦର ନିର୍ଦ୍ଧାରଣ । ଏମସିଏକ୍ସରେ ଫେବ୍ରୁଆରି ମାସ ପାଇଁ ସୁନାଦର ୧୦ ଗ୍ରାମ ପିଛା ୧୦୧ ଟଙ୍କା ହ୍ରାସ ପାଇ ୩୯,୭୭୦ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାଦର ଆଉନ୍ସ ପିଛା ୧୫୫୦ ଡଲାରକୁ ହ୍ରାସ ପାଇଛି । ରୁପା ମଧ୍ୟ ଆଉନ୍ସ ପିଛା ୧୭.୯୭ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର