୪୦ ହଜାର ତଳକୁ ଖସିଯିବ କି ସୁନା ?

ନୂଆଦିଲ୍ଲୀ : ଗତ ବର୍ଷ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଚଳିତ ବର୍ଷ ସୁନାଦର କମିବାରେ ଲାଗିଛି । ଶୁକ୍ରବାରଦିନ କମୋଡିଟି ବଜାରରେ ସୁନା ଦର ୪୩ ହଜାର ନିକଟବର୍ତ୍ତୀ ହୋଇଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଶସ୍ତା ହୋଇଯାଇଥିବାରୁ ଭାରତରେ ଦର କମୁଥିବା କୁହାଯାଉଛି ।

ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଶୁକ୍ରବାର ସଂଧ୍ୟାରେ ୨୨ କ୍ୟାରେଟ ସୁନାଦର ୪୩ ହଜାର ଓ ୨୪ କ୍ୟାରେଟ ସୁନା ୪୪୫୨ ଟଙ୍କାକୁ ଖସିଆସିଛି । ଗତ ବର୍ଷ ଅଗଷ୍ଟ ମାସରେ ସୁନାଦର ରେକର୍ଡ ୫୬୨୦୦ ଟଙ୍କାକୁ ଛୁଇଁଥିଲା । ଫଳରେ ଗତ ୬ ମାସରେ ସୁନାଦର ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି ।

ବଜାର ବିଶେଷଜ୍ଞଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ସୁନା ଶସ୍ତା ହୋଇଯାଇଥିବାରୁ ଭାରତରେ ଦର କମୁଛି । ଗତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୨ ହଜାର ଡଲାର ଟପିଯାଇଥିଲା । କିନ୍ତୁ ଗତ ଗୁରୁବାରଦିନ ତାହା ୧୭୦୦ ଡଲାରକୁ ଖସିଆସିଛି । ନିବେଶକମାନେ ସୁନାରେ ନିବେଶ ତୁଳନାରେ ଆମେରିକା ସରକାରଙ୍କ ବଣ୍ଡରେ ନିବେଶରୁ ଅଧିକ ଲାଭ ପାଉଥିବାରୁ ସୁନାର ଦର କମୁଛି । କେତେକ ବିଶ୍ଳେଷକଙ୍କ ମତରେ ଆସନ୍ତା ଜୁନ ମାସସୁଦ୍ଧା ସୁନାଦର ଆଉନ୍ସ ପିଛା ଆହୁରି ହ୍ରାସ ପାଇ ୧୫ଶହ ଡଲାର ନିକଟବର୍ତ୍ତୀ ହୋଇଯିବ । ଏପରି ହେଲେ ଭାରତରେ ସୁନାଦର ୪୦ ହଜାର ତଳକୁ ଖସିବାର ଯଥେଷ୍ଟ ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଏକ ଆଉନ୍ସ ହେଉଛି ୩୧ ଗ୍ରାମ ।

ସମ୍ବନ୍ଧିତ ଖବର