ଭୁବନେଶ୍ବର: ସୁନା ଓ ରୁପା ଦରରେ ଆଜି ବଡ଼ଧରଣର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୭୬୦ ଟଙ୍କା ବଢ଼ି ୮୭,୩୮୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୭୦୦ ଟଙ୍କା ବୃଦ୍ଧି ପାଇ ୮୦,୧୦୦ ଟଙ୍କା ଛୁଇଁଛି। ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ଦର ବି କିଲୋଗ୍ରାମ ପିଛା ୨୦୦୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ୧ ଲକ୍ଷ ୭ ହଜାର ଟଙ୍କା ଛୁଇଁଛି। 

Advertisment

ଗତ କିଛିଦିନର ସୁନା ଓ ରୁପା ଦର ଉପରେ ନଜର ପକାଇଲେ ଜଣାଯାଏ ଫେବ୍ରୁଆରି ୨୫ରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍‌ ପିଛା ୮୮,୦୯୦ ଟଙ୍କା ରହିଥିଲା। କିନ୍ତୁ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୧ ସୁଦ୍ଧା ଏଥିରେ ୧୪୭୦ ଟଙ୍କା ହ୍ରାସ ଘଟି ଦର ୮୬,୬୨୦ ଟଙ୍କାକୁ ଖସିଥିଲା। ମାର୍ଚ୍ଚ ୨ ଓ ୩ରେ ଦର ଅପରିବର୍ତ୍ତିତ ରହିଥିବାବେଳେ ଆଜି ଏଥିରେ ବୃହତ୍ ବୃଦ୍ଧି ହୋଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ଗତମାସ ୨୫ ତାରିଖରେ ୧୦ ଗ୍ରାମ୍‌ ପିଛା ୮୦,୭୫୦ ଟଙ୍କା ରହିଥିଲା। ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୧ ଯାଏଁ ଏଥିରେ ୧୩୫୦ ଟଙ୍କାର ହ୍ରାସ ଘଟି ୭୯,୪୦୦ ଟଙ୍କାରେ ରହିଥିଲା। କିନ୍ତୁ ଆଜି ଏହା ପୁଣି ୮୦ ହଜାର ଟପିଯାଇଛି। 
ବାହାଘର ଋତୁ ଏବେ ଚାଲିଛି। ଏଥିପାଇଁ ଅନେକ ବ୍ୟକ୍ତି ସୁନା ଓ ରୁପା କିଣିବାକୁ ସୋରୁମ୍‌ ଆସୁଛନ୍ତି। କିନ୍ତୁ ଦରବୃଦ୍ଧି ସେମାନଙ୍କୁ ଅସୁବିଧାରେ ପକାଉଛି। ସୁନା ଦର ସାଙ୍ଗକୁ ଗଢ଼ା ମଜୁରି ଏବଂ ଟିକସ ମିଶାଇଦେଲ ଗ୍ରାହକଙ୍କୁ ଆହୁରି ଅଧିକ ଅର୍ଥ ଗଣିବାକୁ ପଡ଼ୁଛି।