ସୁନାଦର ୧୧୬ ଟଙ୍କା ବୃଦ୍ଧି ପାଇ ୩୯,୬୩୦ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ : ସୁନାଦର ଆଜି ୧୦ ଗ୍ରାମ ପିଛା ୧୧୬ ଟଙ୍କା ବୃଦ୍ଧି ପାଇ ୩୯,୬୩୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୪୫୪ ଟଙ୍କା ବୃଦ୍ଧି ପାଇ ୪୮,୦୬୦ ଟଙ୍କାରେ ପହଞ୍ଚିଛି । ଉଭୟ ସ୍ପଟ ବଜାର ଓ ଫ୍ୟୁଚର ବଜାରରେ ସୁନା ଓ ରୁପା ଦର ବୃଦ୍ଧି ପାଇଛି । ବିବାହ ଋତୁ ଓ ଅନ୍ତର୍ଜାତୀୟ ବଜାରର ପ୍ରଭାବ ଫଳରେ ଦେଶରେ ସୁନାଦର ବୃଦ୍ଧି ପାଇଥିବା ଜଣାଯାଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୫୦୪ ଡଲାରକୁ ବୃଦ୍ଧି ପାଇଛି । ସେହିପରି ରୁପା ଦର ଆଉନ୍ସ ପିଛା ୧୭.୯୪ ଡଲାରରେ ପହଞ୍ଚିଛି । ଏହାର ପ୍ରଭାବରୁ ଭାରତୀୟ ବଜାରରେ ସୁନା ଓ ରୁପାଦର ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ଚୀନ-ଆମେରିକା ମଧ୍ୟରେ ଏକ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତି ହେବ ବୋଲି ଗତ ମଙ୍ଗଳବାରଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ । ଚୀନ ପକ୍ଷରୁ ମଧ୍ୟ ଏହି ଖବରକୁ ସ୍ୱୀକାର କରାଯାଇଥିଲା । ଏହି ଚୁକ୍ତି ସ୍ୱାକ୍ଷରିତ ନ ହେବା ପର୍ଯ୍ୟନ୍ତ ବିଶ୍ୱ ବଜାରରେ ଅସ୍ଥିରତା ଲାଗି ରହିବା ଆଶଙ୍କା କରାଯାଉଛି । ଏହା ଫଳରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ସୁନାଦରବୃଦ୍ଧି ଅବ୍ୟାହତ ରହିବ । ଅନ୍ୟପକ୍ଷରେ ବିଶ୍ୱରେ ବଢିଚାଲିଥିବା ଅଶୋଧିତ ତେଲଦର ଯୋଗୁଁ ଭାରତୀୟ ଟଙ୍କା ଟିକିଏ ଦୁର୍ବଳ ହୋଇଛି । ଟଙ୍କା ମୂଲ୍ୟ ହ୍ରାସ ପାଇବା ଯୋଗୁଁ ସୁନା ଆମଦାନୀ ମହଙ୍ଗା ହୋଇଛି । ଏହି କାରଣରୁ ଆଗକୁ ଆହୁରି ଦର ବଢିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର