ଆସନ୍ତା ସପ୍ତାହରେ ୬୦,୦୦୦ ଟପିବ ସୁନା ଦର !

ମୁମ୍ବାଇ : ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ବିଶ୍ବ ବଜାରରେ ସୁନା ଦର ବଢିଚାଲିଛି । ଏହାର ପ୍ରଭାବରୁ ଭାରତୀୟ ବଜାରରେ ବି ସୁନାଦର ବଢିଚାଲିଛି । ଶୁକ୍ରବାରଦିନ ମୁମ୍ବାଇର ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଏପ୍ରିଲ ମାସ ପାଇଁ ସୁନାଦର ୧୦ ଗ୍ରାମ ପିଛା ୫୯,୪୨୦ ରେ ବନ୍ଦ ହୋଇଥିଲା, ଯାହାକି ଗୁରୁବାର ତୁଳନାରେ ପ୍ରାୟ ୧୪୧୪ ଟଙ୍କା ଅଧିକ । ଆସନ୍ତା ସପ୍ତାହରେ ବି ସୁନାଦର ବଢିବା ଜାରି ରଖିବ ଓ ୧୦ ଗ୍ରାମ ପିଛା ୬୦ ହଜାର ଟପିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏମସିଏକ୍ସର ଗୋଲ୍ଡ ଫ୍ୟୁଚର ( ନିକଟ ଭବିଷ୍ୟତର ଏକ ସମୟରେ ସୁନା ଦର) କେବଳ ମାର୍ଚ୍ଚ ମାସରେ ୩୬୨୮ ଟଙ୍କା ବୃଦ୍ଧି ପାଇଲାଣି । ରୁପା ଦର ବି ବଢିଚାଲିଛି । ଏମସିଏକ୍ସରେ ଏପ୍ରିଲ ପାଇଁ ରୁପା ଦର କିଲୋଗ୍ରାମ ପିଛା ୬୭ ହଜାର ଛୁଇଁଛି ।

ଶୁକ୍ରବାରଦିନ ଭାରତର ସ୍ପଟ୍ ବଜାରରେ ସୁନାଦର ( ୨୪ କ୍ୟାରେଟ୍ ) ୫୮,୨୨୦ ଟଙ୍କାରେ ବନ୍ଦ ହୋଇଥିଲା ବେଳେ ୨୨ କ୍ୟାରେଟ ସୁନା ୫୭୯୮୭ ଟଙ୍କାରେ ବନ୍ଦ ହୋଇଥିଲା ।

ବ୍ୟାଙ୍କ ସଂକଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ପଟ୍ ବଜାରରେ ସୁନା ଦର ୨.୮ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୧୯୭୧ ଡଲାରକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ୨୮.୩ ଗ୍ରାମ ସହ ସମାନ । ଆଗାମୀ ସପ୍ତାହରେ ସୁନା ଦର ଆଉନ୍ସ ପିଛା ୨ ହଜାର ଡଲାର ଟପିବା ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର