ପାର୍ବଣରେ ବଢିଚାଲିଛି ସୁନାଦର , ୧୦ ଗ୍ରାମ ପିଛା ୧୫୦ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶରେ ସୁନା ଦର ବଢିଚାଲିଛି । ଚଳିତ ସପ୍ତାହରେ ସୁନା ୧୦ ଗ୍ରାମ ପିଛା ୧୫୦ ଟଙ୍କା ବୃଦ୍ଧି ପାଇ ୩୨,୦୫୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବ ଓ ପାର୍ବଣ ଋତୁରେ ଘରୋଇ ବଜାରରେ ସୁନା କ୍ରୟ ବୃଦ୍ଧି ଫଳରେ ଏହି ଦରବୃଦ୍ଧି ହୋଇଥିବା ଜଣାଯାଇଛି । ସେହିପରି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସୁନା ଆମଦାନୀ ମହଙ୍ଗା ହୋଇଛି । ଏଥିପାଇଁ ମଧ୍ୟ ସୁନାଦର ବଢୁଛି । ତେବେ ଚଳିତ ସପ୍ତାହରେ ରୁପାଦର କିଲୋଗ୍ରାମ ପିଛା ୪୦୦ ଟଙ୍କା ହ୍ରାସ ପାଇ ୩୯,୪୦୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ରୁପା କ୍ରୟ ହ୍ରାସ ଯୋଗୁଁ ଏହା ହୋଇଛି ।
ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୨,୦୫୦ ଓ ୩୧,୯୦୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ବୃଦ୍ଧି ପାଇଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୨୧୮ ଡଲାରରେ ପହଞ୍ଚିଛି ଓ ରୁପା ବୃଦ୍ଧି ପାଇ ଆଉନ୍ସ ପିଛା ୧୪.୬୮ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର