ଭୁବନେଶ୍ବର: ସୁନା ଦର ପୁଣି ଥରେ ଉପରମୁହାଁ ହୋଇଛି। ଗୁରୁବାର ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୭୦୦ ଟଙ୍କା ବୃଦ୍ଧି ପାଇ ୮୫,୬୦୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୨୯୪୦ ଟଙ୍କା ବଢ଼ି ୯୩,୩୮୦ ଟଙ୍କା ହୋଇଛି। ଗତ ଦୁଇଦିନରେ ୨୨ କ୍ୟାରେଟ୍‌ ସୁନା ୩୩୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୩୬୫୦ ଟଙ୍କା ବଢ଼ିଛି। କେବଳ ସୁନା ନୁହେଁ, ଭୁବନେଶ୍ବରରେ ରୁପା ମଧ୍ୟ ମହଙ୍ଗା ହୋଇଛି। ଗୋଟିଏ ଦିନରେ ରୁପା ଦାମ୍‌ ୫୦୦୦ ଟଙ୍କା ବଢ଼ିବାରୁ ଏହାର କିଲୋ ପିଛା ଦର ୧,୦୭,୦୦୦ ଟଙ୍କା ହୋଇଯାଇଛି। ଏହି ବୃଦ୍ଧି ପୂର୍ବରୁ ରୁପା ଦରରେ ୧୨ ହଜାର ଟଙ୍କାର ହ୍ରାସ ହୋଇଥିଲା।

Advertisment

ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ଟାଳି ଦେଇଥିବାରୁ ବଜାରରେ ପୁଣି ଅନିଶ୍ଚିତତା ଦେଖାଦେଇଛି। ତାଙ୍କ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ, ଆକଳନ କରିବା କଷ୍ଟକର ହୋଇପଡ଼ିଛି। ଅନ୍ୟପକ୍ଷରେ ଚୀନ୍ ଉପରେ ସେ ୧୨୫ ପ୍ରତିଶତ ଶୁଳ୍କ ଲଗାଇଥିବାରୁ ତାହା ମଧ୍ୟ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଅନିଶ୍ଚିତତା ଲାଗି ପୁଣି ଥରେ ସୁନା ଓ ରୁପା ମହଙ୍ଗା ହେଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୩୧୨୩ ଡଲାରକୁ ବୃଦ୍ଧି ପାଇଛି। ଗତକାଲି ତୁଳନାରେ ସୁନା ଦର ୪୦ ଡଲାର ବଢ଼ିଛି। ସର୍ବଭାରତୀୟ ସ୍ତରରେ ୧୦ ଗ୍ରାମ ପିଛା ସୁନାର ଦାମ୍ ୯୩,୩୮୦ ଟଙ୍କା ରହିଛି। ତେବେ ଅନ୍ୟ କେତେକ ବିଶେଷଜ୍ଞଙ୍କ ମତରେ ବଣ୍ଡ୍‌ ବଜାର ହଠାତ୍‌ ଦୁର୍ବଳ ହୋଇପଡ଼ିବା ଏବଂ ଆମେରିକା ପ୍ରତିଭୂତି ଉପରେ ବିକ୍ରି ଚାପ ଯୋଗୁଁ ସୁନା ମହଙ୍ଗା ହୋଇଛି। ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଳବତ୍ତର ରହିଥିବାରୁ ନିବେଶକମାନେ ସୁନା ଭଳି ସୁରକ୍ଷିତ ନିବେଶ ଆଡ଼କୁ ମୁହାଁଇଛନ୍ତି।