ନୂଆଦିଲ୍ଲୀ : ସୁନା ଦର ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏମସିଏକ୍ସରେ ସୁନାର ଫ୍ୟୁଚର ଦର ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧିପାଇ ୬୧,୦୦୦ ଟଙ୍କା ଉପରେ ପହଞ୍ଚିଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ଏମସିଏକ୍ସରେ ସୁନା ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ୬୧ ହଜାର ଟଙ୍କା ଅତିକ୍ରମ କରିଥିଲା । ସେହିପରି ସ୍ପଟ ବଜାରରେ ସୁନାଦର ୬୦ ହଜାର ଛୁଇଁଛି । ୨୪ କ୍ୟାରେଟ ସୁନାଦର ୬୦୭୮୦ରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ୍ ସୁନା ୫୯୩୨୦ ଟଙ୍କାରେ ପହଞ୍ଚିଛି ବୋଲି ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘ ପକ୍ଷରୁ ଜାରି ତାଲିକାରେ କୁହାଯାଇଛି ।

Advertisment

ଗତ ମଙ୍ଗଳବାରଦିନ ସୁନା ଫ୍ୟୁଚର ୧୦ ଗ୍ରାମ ପିଛା ୬୧,୧୪୫ ଟଙ୍କାରେ ପହଞ୍ଚିଥିଲା । ମହାବୀର ଜୟନ୍ତୀ ଅବସରରେ ମଙ୍ଗଳବାର ଏକ୍ସଚେଞ୍ଜରେ କୌଣସି ପ୍ରାତଃ କାରବାର ହୋଇନଥିଲେ ମଧ୍ୟ ସନ୍ଧ୍ୟାରେ ଏକ୍ସଚେଞ୍ଜ ଖୋଲିବା ପରେ ସୁନା ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ଏହି ନୂଆ ରେକର୍ଡ ପରେ ମଙ୍ଗଳବାର ସୁନା ଫ୍ୟୁଚର ୧୦ ଗ୍ରାମ ପିଛା ୬୦୯୫୪ ଟଙ୍କାରେ ବନ୍ଦ ହୋଇଛି । ଆଜି ସୁନା ଫ୍ୟୁଚର ଏହାର ଶେଷ ସ୍ତରରେ ଖୋଲିଛି ଏବଂ ପୁଣି ଥରେ ବୃଦ୍ଧି ଦେଖିବାକୁ ମିଳୁଛି ।

ରୁପା ମୂଲ୍ୟରେ ମଧ୍ୟ ଜବରଦସ୍ତ ବୃଦ୍ଧି ଘଟିଛି । ରୁପା କିଲୋଗ୍ରାମ ପିଛା ୭୫୧୭୫ ଟଙ୍କାର ନୂତନ ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ସ୍ପଟ ବଜାରରେ ରୁପା କିଲୋଗ୍ରାମ ପିଛା ୭୩୮୩୪ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୩ ମାସର ସର୍ବୋଚ୍ଚ ସ୍ତର ୨୦୪୦ ଡଲାରରେ ପହଞ୍ଚିଛି। ରୂପା ମଧ୍ୟ ୨୫ ଡଲାର ଉପରେ ରହିଛି, ଯାହା କି ୧ ବର୍ଷ ମଧ୍ୟରେ ଏହାର ସର୍ବୋଚ୍ଚ ସ୍ତର । ଡଲାର ଦୁର୍ବଳ ହେବା ଓ ମାନ୍ଦାବସ୍ଥା ଆଶଙ୍କା ମଧ୍ୟର ସୁନା ଦର ବୃଦ୍ଧି ପାଉଥିବା କୁହାଯାଉଛି ।