ତିରୁମାଳା: ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ପକ୍ଷରୁ ତିରୁପତି ମନ୍ଦିରରେ ବିଶ୍ବର ପ୍ରଥମ ସୁନା ଓ ରୁପା ପେଣ୍ଡାଣ୍ଟ୍ ମିଳୁଥିବା ଏଟିଏମ୍ ଖୋଲାଯିବ। ଏହି ଏଟିଏମ୍ରୁ ସୁନା ଓ ରୁପା ପେଣ୍ଡାଣ୍ଟ୍ ମିଳିବ। ସେଥିରେ ଭଗବାନ ଭେଙ୍କଟେଶ୍ବର ଏବଂ ଲକ୍ଷ୍ମୀ ଦେବୀଙ୍କ ଛବି ରହିବ। ପ୍ରଯୁକ୍ତି ସହିତ ଭକ୍ତିର ମିଶ୍ରଣ ପାଇଁ ଏହି ଉଦ୍ୟମ କରାଯାଇଛି। ବ୍ୟାଙ୍କିଂ ଏଟିଏମ୍ ଭଳି ଏହା ହୋଇଥିଲେ ମଧ୍ୟ ପେଣ୍ଡାଣ୍ଟ୍ ପାଇବା ପାଇଁ ଏଥିରେ ଲୋକଙ୍କୁ କେତୋଟି ଅତିରିକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।
ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ତିରୁମାଳା ମନ୍ଦିର, ତିରୁପତିର ଗୋବିନ୍ଦରାଜା ମନ୍ଦିର ଏବଂ ତିରୁଚନୁରର ପଦ୍ମାବତୀ ଅମାବରୀ ମନ୍ଦିରରେ ଏହି ଏଟିଏମ୍ ସ୍ଥାପନ ଯୋଜନା ରଖାଯାଇଛି। ପ୍ରଯୁକ୍ତି ଚୂଡ଼ାନ୍ତ କରିବା ଲାଗି ଟିଟିଡି କର୍ତ୍ତୃପକ୍ଷ ବିଭିନ୍ନ ସଫ୍ଟୱେର କମ୍ପାନି ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କମ୍ପାନି ସହ ସକ୍ରିୟ ଆଲୋଚନା ଚଳାଇଛନ୍ତି। ଏଟିଏମ୍ରେ ୨ ଗ୍ରାମ୍, ୫ ଗ୍ରାମ୍ ଏବଂ ୧୦ ଗ୍ରାମ୍ ଓଜନର ସୁନା ଓ ରୁପା ପେଣ୍ଡାଣ୍ଟ୍ ମିଳିବ। ପ୍ରଯୁକ୍ତି ସହିତ ପରମ୍ପରାର ମିଳନ ହେବ। ଏଥିରେ ଲୋକଙ୍କର କୌଣସି ହସ୍ତକ୍ଷେପ ରହିବ ନାହିଁ। ଟିଟିଡି ପକ୍ଷରୁ ‘ଦାନ କିଓସ୍କ’ ସଫଳ ହେବା ପରେ ଏହି ସୁନା ଓ ରୁପା ପେଣ୍ଡାଣ୍ଟ୍ ଏଟିଏମ୍ ସ୍ଥାପନ ଯୋଜନା ହୋଇଛି। ‘ଦାନ କିଓସ୍କ’ ଜରିଆରେ ଶ୍ରଦ୍ଧାଳୁମାନେ ୟୁପିଆଇ, ଡେବିଟ୍ ଅବା କ୍ରେଡିଟ୍ କାର୍ଡ ଜରିଆରେ ଦାନ କରି ପାରୁଛନ୍ତି। ଅନ୍ନପ୍ରସାଦମ କ୍ୟାଣ୍ଟିନ ଭଳି ସ୍ଥାନରେ ଏହି କିଓସ୍କ ଖୋଲାଯାଇଥିବାବେଳେ ଆଗାମୀ ଦିନରେ ଅନ୍ୟ ସ୍ଥାନରେ ଖୋଲିବା ନେଇ ଯୋଜନା ହୋଇଛି।