ନୂଆଦିଲ୍ଲୀ: ସୁନାର ବର୍ଦ୍ଧିତ ଦରକୁ ନେଇ ଚିନ୍ତିତ ଥିବା ଗ୍ରାହକମାନଙ୍କ ଲାଗି ଏକ ଆଶ୍ବସନାଭରା ଖବର। ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମିତ ହେଲେ ସୁନା ଦରରେ ହ୍ରାସ ଘଟିବ ବୋଲି ବିଶ୍ବ ସୁନା ପରିଷଦ ପୂର୍ବାନୁମାନ କରିଛି। ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା କମାଇଥିବା ବେଳେ ଖୁଚୁରା ନିବେଶ ଚାହିଦା ମଧ୍ୟ କମ୍ ହୋଇଛି। ତାହାର ପ୍ରଭାବରେ ମଧ୍ୟବର୍ତ୍ତୀକାଳୀନ ସମୟରେ ସୁନା ମୂଲ୍ୟ କମିବା ଆଶା କରାଯାଉଛି।
ଏବେ ସୁନାର ୧୦ ଗ୍ରାମ ପିଛା ଦାମ୍ ୯୭,୫୧୧ ଟଙ୍କା ଭଳି ଉଚ୍ଚ ସ୍ତରରେ ରହିଛି। ୨୦୨୨ ନଭେମ୍ବର ପରଠାରୁ ସୁନା ଦର ପ୍ରାୟ ଦ୍ବିଗୁଣିତ ହୋଇଛି। ତାହା ଆଉନ୍ସ ପିଛା ୧୪୨୯ ଡଲାରରୁ ବୃଦ୍ଧି ପାଇ ୩୨୮୭ ଡଲାରରେ ପହଞ୍ଚିଛି। ଅର୍ଥାତ ବାର୍ଷିକ ୩୦ ପ୍ରତିଶତ ହାରରେ ସୁନା ଦର ବଢ଼ିଛି। ୨୦୨୨ ପରଠାରୁ ଭୂରାଜନୈତିକ ସଙ୍କଟ ଅଧିକ ଜଟିଳ ହୋଇଥିଲା। ସେଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଓ ନିବେଶକମାନେ ସୁନାରେ ନିବେଶ ବଢ଼ାଇଥିଲେ। ସୁଧ ହାର ଓ ମୁଦ୍ରାସ୍ଫୀତି ଉଚ୍ଚା ରହିବା ସ୍ଥିତି ଆହୁରି ଜଟିଳ କରିଥିଲା। ସୁନା ଦରରେ ବୃଦ୍ଧି ଅବ୍ୟାହତ ରହିଥିବାରୁ ନିବେଶକମାନେ ସେଥିରେ ରହିଥିବା ସମ୍ଭାବ୍ୟ ବିପଦକୁ ନେଇ ଚିନ୍ତିତ ହେବା ଆରମ୍ଭ କରିଛନ୍ତି।