ଆସନ୍ତା ବର୍ଷ ସୁଦ୍ଧା ଭାରତରେ ସୁନା ୬୦ ହଜାର ଟପିବ !

ନୂଆଦିଲ୍ଲୀ : ଆସନ୍ତା ୧ ବର୍ଷ ମଧ୍ୟରେ ଭାରତରେ ସୁନାଦର ୧୦ ଗ୍ରାମ ପିଛା ୬୦ ହଜାର ଟପିବାର ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ବଢିବାର ସମ୍ଭାବନା ଥିବାରୁ ତାହାର ପ୍ରଭାବ ଭାରତ ଉପରେ ପଡ଼ିବ ।

ଆମେରିକାର ପ୍ରସିଦ୍ଧ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସାକ୍ସ ଅଟକଳ କରିଛି ଯେ ଆଗାମୀ ୧୨ ମାସ ମଧ୍ୟରେ ବିଶ୍ୱ ବଜାରରେ ସୁନାଦର ଆଉନ୍ସ ପିଛା ୨ ହଜାର ଡଲାର ଛୁଇଁବ । ସେହିପରି ଆଗାମୀ ୬ ମାସ ମଧ୍ୟରେ ସୁନାଦର ଆଉନ୍ସ ପିଛା ୧୯୦୦ ଡଲାର ଛୁଇଁବ । କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୀତିରେ ଅସ୍ଥିରତା ଓ ମାନ୍ଦାବସ୍ଥା ଦେଖାଦେଇଛି । ଏହା ସହିତ ଡଲାର ମଧ୍ୟ ଦୁର୍ବଳ ହୋଇଚାଲିଛି । ଏଥିଯୋଗୁଁ ନିବେଶକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି । ଏହା ଫଳରେ ଆଗାମୀ ଦିନରେ ସୁନା ଦର ଆହୁରି ବଢିଚାଲିବ ।

ଭାରତ ନିଜ ସୁନା ଆବଶ୍ୟକତାର ପ୍ରାୟ ୯୦ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ଆସନ୍ତା ବର୍ଷ ସୁଦ୍ଧା ସୁନାଦର ଯଦି ୨ ହଜାର ଡଲାର ଛୁଇଁବ ତେବେ ଭାରତରେ ତାହା ୧୦ ଗ୍ରାମ ପିଛା ୬୦ ହଜାର ଟପିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଶନିବାରଦିନ ସୁନାଦର ୧୦ ଗ୍ରାମ ପିଛା ୪୭ ହଜାର ୪୫୦ ଟଙ୍କା ଛୁଇଁଛି ।ଏବେ ଅନ୍ତର୍ଜାତୀୟ ବଜାରରେ ସୁନାଦର ଗତ ୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ୧.୫ ପ୍ରତିଶତ ବୃଦ୍ଧି ପାଇ ୧୭୩୧ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ । ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ଫଳରେ ମଧ୍ୟରେ ସୁନାଦର ବୃଦ୍ଧି ପାଉଛି ।

ସମ୍ବନ୍ଧିତ ଖବର