ବିଶ୍ୱ ଅର୍ଥନୀତିରେ ଅସ୍ଥିରତା, ବର୍ଷ ଶେଷସୁଦ୍ଧା ସୁନାଦର ୪୨ ହଜାର ଛୁଇଁବା ସମ୍ଭାବନା : ବିଶେଷଜ୍ଞ

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷସୁଦ୍ଧା ଭାରତରେ ସୁନାଦର ୧୦ ଗ୍ରାମ ପିଛା ୪୨ ହଜାରକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ଅସ୍ଥିରତା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଓ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ଦ୍ୱାରା ସୁନା କ୍ରୟ ବୃଦ୍ଧି ଫଳରେ ଆସନ୍ତା କିଛି ମାସଧରି ସୁନାଚାହିଦା ବୃଦ୍ଧି ପାଇବ । ଏହା ଫଳରେ ସୁନାଦର ବଢିବ ।

କମଟ୍ରେଞ୍ଜ୍‌ ରିସର୍ଚ୍ଚର ସିଇଓ ଜ୍ଞାନଶେଖର ତ୍ୟାଗରାଜନ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବର୍ଷ ଶେଷସୁଦ୍ଧା ଆଉନ୍ସ ପିଛା ୧୬୫୦ ଡଲାର ଛୁଇଁବ । ଏହା ଫଳରେ ଭାରତରେ ସୁନାଦର ୪୨ ହଜାରକୁ ବୃଦ୍ଧି ପାଇବ । ସେହିପରି ମୋତିଲାଲ ଓସ୍ୱାଲର ଉପସଭାପତି-କମୋଡିଟି ରିସର୍ଚ୍ଚ ନବନୀତ ଦାମାନି କହିଛନ୍ତି ଯେ ଏବର୍ଷ ଭାରତରେ ସୁନାଦର ୧୫ ପ୍ରତିଶତ ବୃଦ୍ଧି ପାଇଛି । ଆଗାମୀ ଦିନରେ ସୁନା ଆହୁରି ବଢିବ ।
ମଧ୍ୟପୂର୍ବରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେଇଛି । ସିରିଆ ଉପରେ ତୁର୍କୀର ଆକ୍ରମଣ, ଇରାନକୁ ନେଇ ବିବାଦ ଆଦି ଅସ୍ଥିରତା ବଢାଉଛି । ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତରେ ସୁନାଦର ବଢୁଛି । ତେବେ ଏଥର ଭାରତରେ ଧନତେରସ ଓ ଦୀପାବଳୀରେ ସୁନା ବିକ୍ରି ୪୦ ପ୍ରତିଶତ ହ୍ରାସ ପାଇଥିବା ଜଣାଯାଇଛି । ସୁନାଦର ଏବେ ୧୦ ଗ୍ରାମ ପିଛା ୩୯ ହଜାର ନିକଟବର୍ତ୍ତି ରହିଛି ।

ସମ୍ବନ୍ଧିତ ଖବର