୨୦୨୧ ଶେଷ ସୁଦ୍ଧା ସୁନା ୬୫ ହଜାର ଛୁଇଁବ !

ନୂଆଦିଲ୍ଲୀ : ଚଳିତ ବର୍ଷ ସୁନା ଓ ରୁପାଦର ବଢିଚାଲିଛି ଓ ନୂଆ ନୂଆ ରେକର୍ଡ କରିଚାଲିଛି । ଏବେ ସୁନାଦର ରେକର୍ଡ ୫୨ ହଜାରକୁ ବୃଦ୍ଧିପାଇଛି । ରୁପାଦର ମଧ୍ୟ ବଢିଚାଲିଛି ଓ କିଲୋଗ୍ରାମ ପିଛା ୬୫ ହଜାରରେ ପହଞ୍ଚିଛି ।

ବିଶେଷଜ୍ଞଙ୍କ ମତରେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଲାଗି ରହିଥିବାରୁ ଆଗାମୀ ବର୍ଷ ପର୍ଯ୍ୟନ୍ତ ସୁନା ଆହୁରି ବଢିବ ଓ ୨୦୨୧ ଶେଷ ସୁଦ୍ଧା ୧୦ ଗ୍ରାମ ପିଛା ୬୫ ହଜାର ଛୁଇଁବ । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଦର ବଢିଚାଲିଛି । ଏବେ ଫ୍ୟୁଚର ବଜାରରେ ସୁନାଦର ଆଉନ୍ସ ପିଛା ୧୯୫୦ ଡଲାରରେ ପହଞ୍ଚିଛି । ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ପାଇ ୧୯୩୬ ଡଲାରରେ ପହଞ୍ଚିଛି ।

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୀତିରେ ଅସ୍ଥିରତା ଓ ମାନ୍ଦାବସ୍ଥା ଦେଖାଦେଇଛି । ଏହା ସହିତ ଡଲାର ମଧ୍ୟ ଦୁର୍ବଳ ହୋଇଚାଲିଛି । ଏଥିଯୋଗୁଁ ନିବେଶକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି । ଏହା ଫଳରେ ଆଗାମୀ ଦିନରେ ସୁନା ଦର ଆହୁରି ବଢିଚାଲିବ ।
ବ୍ୟାଙ୍କ ଅଫ ଆମେରିକା ସିକ୍ୟୁରିଟିଜର ଅଟକଳ ଅନୁସାରେ ୨୦୨୧ ଶେଷସୁଦ୍ଧା ସୁନା ଆଉନ୍ସ ପିଛା ୩୦୦୦ ଡଲାର ଛୁଇଁବ । ଭାରତ ନିଜ ସୁନା ଆବଶ୍ୟକତାର ପ୍ରାୟ ୯୦ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ଆସନ୍ତା ବର୍ଷ ଶେଷ ସୁଦ୍ଧା ସୁନାଦର ଯଦି ୩ ହଜାର ଡଲାର ଛୁଇଁବ ତେବେ ଭାରତରେ ତାହା ୧୦ ଗ୍ରାମ ପିଛା ୬୫ ହଜାର ଟପିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ ।

ସମ୍ବନ୍ଧିତ ଖବର