ଭୁବନେଶ୍ବର: ସୁନା ଓ ରୁପାର ଆକାଶଛୁଆଁ ଦର ଆଜି ଧନତେରସ୍ରେ ଗ୍ରାହକଙ୍କ ଉତ୍ସାହକୁ ରୋକି ପାରିନାହିଁ। ଧନତେରସ୍ରେ ରାଜ୍ୟର ଗ୍ରାହକମାନେ ପ୍ରାୟ ୨୫୦ କୋଟି ଟଙ୍କା ମୂଲ୍ୟର ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ କିଣିଛନ୍ତି। ବର୍ତ୍ତମାନର ସୁନା ମୂଲ୍ୟକୁ ଦେଖିଲେ ରାଜ୍ୟରେ ଆଜି ଗୋଟିଏ ଦିନରେ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ସୁନା ଲୋକମାନେ ଘରକୁ ବୋହି ନେଇଛନ୍ତି। ରାଜ୍ୟର ବିଭିନ୍ନ ସହର, ଅର୍ଦ୍ଧସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ଗହଣା ସୋରୁମ୍ଗୁଡ଼ିକରେ ଧନତେରସ୍ ଭିଡ଼ ଦେଖିବାକୁ ମିଳିଛି। କିନ୍ତୁ ରାଜଧାନୀ ଭୁବନେଶ୍ବର ସମେତ କଟକ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ପୁରୀ ଆଦି ସହରର ବଡ଼ ସୋରୁମ୍ରେ ଭିଡ଼ ଅପେକ୍ଷାକୃତ ଭାବେ ଅଧିକ ରହିଛି। ଅପରାହ୍ଣରେ ଅସମ୍ଭାଳ ଭିଡ଼ ଲାଗିଥିଲା। ଗହଣା କିଣିବା ଏବଂ ବିଲ୍ ପୈଠ କରିବା ପାଇଁ ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ।
ଧନତେରସ୍ରେ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତା ବୋଲି ବିଶ୍ବାସ ରହିଥିବାରୁ ଗ୍ରାହକମାନେ ଆଜି ଗହଣା ସୋ’ରୁମ୍ ଖୋଲୁ ଖୋଲୁ ପହଞ୍ଚି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାହକମାନେ ସୋରୁମ୍ରେ କିଣାକିଣି କରିଛନ୍ତି। ବିଭିନ୍ନ କାରଣରୁ ଗତ କିଛିଦିନ ହେଲା ଅନ୍ତର୍ଜାତୀୟ ବଜାର ସମେତ ଭାରତ ବଜାରରେ ସୁନା ଓ ରୁପା ଦର ଦ୍ରୁତ ହାରରେ ବଢ଼ି ଚାଲିଛି। କିନ୍ତୁ ଆଜି ଧନତେରସ୍ରେ ଉଭୟ ସୁନା ଓ ରୁପା ଦରରେ ଆଖିଦୃଶିଆ ହ୍ରାସ ହୋଇଛି। ସୂଚନା ଅନୁଯାୟୀ, ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ଶନିବାର ୧୦ ଗ୍ରାମ ପିଛା ୧୯୧୦ ଟଙ୍କା କମି ୧,୩୦,୮୬୦ ଟଙ୍କାରେ ବିକ୍ରି ହୋଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୭୫୦ ଟଙ୍କା ହ୍ରାସ ପାଇ ୧,୧୯୯୫୦ ଟଙ୍କାରେ ବିକ୍ରି ହୋଇଛି। ରୁପା ଦର କିଲୋଗ୍ରାମ ପିଛା ଆଜି ୧୩ ହଜାର ଟଙ୍କା ହ୍ରାସ ପାଇ ୧,୯୦,୦୦୦ ଟଙ୍କାରେ ବିକ୍ରି ହୋଇଛି। ଧନତେରସ୍ ଦିନ ସୁନା ଦରରେ ବଡ଼ ଧରଣର ହ୍ରାସ ଗ୍ରାହକଙ୍କ ମନରେ ଏହି ମୂଲ୍ୟବାନ ଧାତୁ କିଣିବା ପାଇଁ କିଛିଟା ଖୁସି ଭରିଥିଲା। ଦର ହ୍ରାସ ଫଳରେ ଲୋକମାନଙ୍କ ଚାହିଦା ଆଜି ବଢ଼ିଯାଇଥିଲା।
କଏନ୍ ଚାହିଦା ଅଧିକ
ହାଲ୍କା ଗହଣା ବେଶି ବିକ୍ରି
ଗତବର୍ଷ ତୁଳନାରେ ୧୮% ଅଧିକ ବ୍ୟବସାୟ
ଖିମ୍ଜି ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍ଜୀଙ୍କ କହିବାନୁଯାୟୀ, ଗତବର୍ଷ ତୁଳନାରେ ଚଳିତବର୍ଷର ବିକ୍ରି ୧୭ରୁ ୧୮ ପ୍ରତିଶତ ବୃଦ୍ଧି ପାଇଛି। ବିକ୍ରି ଭଲ ରହିଛି। ଆସନ୍ତାକାଲି ମଧ୍ୟ ଧନତେରସ୍ ଥିବାରୁ ବିକ୍ରି ଭଲ ରହିବ ବୋଲି ସେ କହିଛନ୍ତି। ସେହିଭଳି ମାଲବାର୍ ଜୁଏଲର୍ସର ବରିଷ୍ଠ ଅଧିକାରୀ ସିଦ୍ଧେଶ୍ବର ରଥ କୁହନ୍ତି, ବିକ୍ରି ଆଶାନୁରୂପକ ରହିଛି। ଗହଣା ତୁଳନାରେ କଏନ୍ ଚାହିଦା ଅଧିକ ରହିଛି। ଲୋକମାନେ ଏବେ ସୁନା ଓ ରୁପାକୁ ଏକ ଭଲ ନିବେଶ ମାଧ୍ୟମ ଭାବେ ବିବେଚନା କରୁଥିବାରୁ ଏଭଳି ହୋଇଛି ବୋଲି ସେ କହିଛନ୍ତି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ସୁନା ଓ ରୁପା ଦର ବୃଦ୍ଧି ଫଳରେ ଗ୍ରାହକଙ୍କ କ୍ରୟ ଅଭ୍ୟାସରେ ପରିବର୍ତ୍ତନ ଆସିଛି। ସେମାନେ ବିବାହ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ କମ୍ ଓଜନର ଗ୍ରହଣା କିଣୁଛନ୍ତି। ସୁନା ଓ ରୁପାରେ ଅନେକ ବ୍ୟକ୍ତି ଏବେ ନିବେଶ କରୁଛନ୍ତି। ସେମାନେ ସୁନା ଓ ରୁପା କଏନ ଓ ବାର୍ ଆଦି କିଣୁଛନ୍ତି। ଗ୍ରାହକଙ୍କ କ୍ରୟ ବ୍ୟବହାରରେ ଏଭଳି ପରିବର୍ତ୍ତନ ଯୋଗୁ କଏନ ଓ ବାର୍ ମଧ୍ୟ ଅନେକ ସୋରୁମ୍ରେ ପର୍ଯ୍ୟାପ୍ତ ମାତ୍ରାରେ ମିଳିବା ଅସୁବିଧା ହୋଇଛି। ଚଳିତବର୍ଷ ଧନତେରସ୍ ଦୁଇଦିନ ଧରି ପାଳନ ହେଉଛି। ରବିବାର ମଧ୍ୟ ଏହାକୁ ପାଳନ କରାଯିବ। ତେଣୁ ଆସନ୍ତାକାଲି ଅନେକ ଗ୍ରାହକ ସୋରୁମ୍ ଆସିବେ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ସେମାନେ ରବିବାର ଭଲ ବିକ୍ରି ହେବ ବୋଲି ଆଶା ରଖିଛନ୍ତି।