ନୂଆଦିଲ୍ଲୀ: ଆମେରିକା ଓ ଚୀନ୍ ମଧ୍ୟରେ ଜାରି ରହିଥିବା ବାଣିଜ୍ୟ ଯୁଦ୍ଧ ପ୍ରଭାବରେ ଅନ୍ତର୍ଜାତୀୟ ସ୍ତରରେ ସୁନାର ଆଉନ୍ସ ପିଛା ଦାମ୍ ୪୫୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବର୍ତ୍ତମାନ ଏହି ଦର ୩୨୦୦ ଡଲାର ପାଖାପାଖି ରହିଛି। ବିଦେଶରେ ସୁନା ମହଙ୍ଗା ହେଲେ ଭାରତୀୟ ବଜାରରେ ତାହାର ପ୍ରଭାବ ଅନୁଭୂତ ହେବ। ଭାରତରେ ସୁନାର ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ବିଶ୍ବସ୍ତରୀୟ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍ସ ଆକଳନ କରିଛି। ଯିଦ ବାଣିଜ୍ୟ ଯୁଦ୍ଧ ଘମାଘୋଟ ହେବ ଓ ମାନ୍ଦାବସ୍ଥାର ବିପଦ ଦେଖାଦେବ, ତେବେ ସୁନା ଦର ଏଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇବ। ଯଦି ସେହି ସ୍ତରରେ ବାଣିଜ୍ୟ ଲଢ଼େଇ ପହଞ୍ଚିବ ନାହିଁ, ତେବେବି ସୁନାର ଆଉନ୍ସ ପିଛା ଦର ୩୭୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଏହା ଆକଳନ କରିଛି।
ଚଳିତ ବର୍ଷ ଜାନୁଆରିରେ ଗୋଲ୍ଡମ୍ୟାନ୍ ସଚ୍ସ ପୂର୍ବାନୁମାନ କରିଥିଲା ଯେ ସୁନାର ଆଉନ୍ସ ପିଛା ଦର ୩୧୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ରହିଛି। ସେହି ଆକଳନ ସତ ହୋଇଛି। ଫେବ୍ରୁଆରିରେ ଏହା ଆଉଥରେ ଆକଳନ କରିଥିଲା ଯେ ସୁନା ଦାମ୍ ୩,୩୦୦ ଡଲାର ହୋଇଯିବ। ଏବେ ବର୍ଷର ତୃତୀୟ ଆକଳନ ଜାରି କରି ଏହା କହିଛି ଯେ ସୁନା ଦାମ୍ ଆହୁରି ବଢ଼ିବ। ଭାରତରେ ଏବେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୯୩,୩୫୩ ଟଙ୍କା ରହିଛି। ଚଳିତ ବର୍ଷ ଜାନୁଆରିରୁ ବର୍ତ୍ତମାନ ସୁଦ୍ଧା ଏହାର ଦାମ୍ ୧୭,୧୯୧ ଟଙ୍କା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଢ଼େଇ ଆରମ୍ଭ କରିଥିବାରୁ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଦେଖାଦେବା ସହ ମାନ୍ଦାବସ୍ଥା ଆଶଙ୍କା ବଢ଼ିଯାଇଛି। ଏଭଳି ସମୟରେ ନିଜ ସମ୍ପତ୍ତିକୁ ସୁରକ୍ଷିତ ରଖିବା ଲାଗି ଲୋକମାନେ ସୁନାରେ ନିବେଶ କରୁଥିବାରୁ ତାହାର ଚାହିଦା ବଢ଼ିଛି। ଅନ୍ୟ ପକ୍ଷରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ମଧ୍ୟ ଆମଦାନିକୁ ମହଙ୍ଗା କରିଛି। ଦେଶରେ ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ ଗହଣାର ଚାହିଦା ରହିଛି। ଏଭଳି ବିଭିନ୍ନ କାରଣ ପାଇଁ ସୁନା ଦରରେ ବୃଦ୍ଧି ଘଟୁଛି। କିନ୍ତୁ ପ୍ରମୁଖ କାରଣଟି ହେଉଛି ଅନ୍ତର୍ଜାତୀୟ ବଜାରରେ ଦାମ୍ ବଢ଼ୁଥିବାରୁ, ସ୍ଥାନୀୟ ବଜାରରେ ସୁନା ମହଙ୍ଗା ହେଉଛି।