ଅର୍ଥନୀତି ଉପରେ କରୋନା ମାଡ଼, ଭାରତର ଅଭିବୃଦ୍ଧି ୧.୬%କୁ କମିବ : ଗୋଲ୍ଡମ୍ୟାନ ସ୍ୟାକସ

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବ । ଚଳିତ ଆର୍ଥକ ବର୍ଷରେ ଭାରତର ଆଥିର୍କ ଅଭିବୃଦ୍ଧି ୧.୬ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅଟକଳ କରିଛି ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସ୍ୟାକସ ।

ଗୋଲ୍ଡମ୍ୟାନ ସ୍ୟାକସ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ ମହାମାରୀ ପାଇଁ ଭାରତ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହା ଦ୍ୱାରା ଦେଶର ଅର୍ଥନୀତି ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଚାଲିଛି । ଏହି ସଂକଟର ମୁକାବିଲା କରିବା ପାଇଁ ଭାରତର ସରକାର ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯଥାଶୀଘ୍ର କୌଣସି ବଡ଼ ପଦକ୍ଷେପ ଗ୍ରହଣ ନ କରାଗଲେ ଦେଶର ଅର୍ଥନୀତି ଧୀମା ହୋଇଯିବ ।
କରୋନା ଭାଇରସ ଆସିବା ପୂର୍ବରୁ ବିଭିନ୍ନ ସଂସ୍ଥା ଭାରତର ଅଭିବୃଦ୍ଧି ଚଳିତ ଆଥିର୍କ ବର୍ଷରେ ୫ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଥିଲେ ।
ଗତ ମାସ ଶେଷ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟିର ସହାୟତା ପ୍ୟାକେଜ ଘୋଷଣା କରିଥିଲେ । ଏହା ସହିତ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିଥିଲା । ଏହା ସହିତ ୩ ମାସିଆ ସୁଧ କିସ୍ତି ସ୍ଥଗିତ ରହିବା ସଂପର୍କରେ ଘୋଷଣା କରାଯାଇଥିଲା । ସରକାର ଆଉ ଏକ ବଡ଼ଧରଣର ପ୍ୟାକେଜ ଘୋଷଣା କରିବାକୁ ପ୍ରସ୍ତୁତି କରୁଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର