ଭୁବନେଶ୍ବର: ଚଳିତ ବର୍ଷ ଗାଡ଼ି ବଜାର ଲାଗି ଏକ ଭଲ ବର୍ଷ ସାବ୍ୟସ୍ତ ହେବାକୁ ଯାଉଛି। ବିଶେଷ କରି ବାଇକ୍ ଓ ସ୍କୁଟର ଭଳି ଦୁଇଚକିଆ ଯାନ ବିକ୍ରିରେ ବଡ଼ ଧରଣର ବୃଦ୍ଧି ହେବାର ସମ୍ଭାବନା ରହିଛି। ନିର୍ବାଚନ ପାଖେଇ ଆସିଲେ ଖର୍ଚ୍ଚରେ ବୃଦ୍ଧି ପରିଲକ୍ଷିତ ହୁଏ। ତାହା ଗାଡ଼ି ବିକ୍ରି ବଢ଼ାଇବାରେ ସହାୟକ ହେବ। ବିଶେଷ କରି ଗ୍ରାମାଞ୍ଚଳରେ ଗାଡ଼ି ବିକ୍ରି ଅଧିକ ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଅତୀତରେ ହୋଇଥିବା ବିଭିନ୍ନ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଦୁଇଚକିଆ ଯାନ ବିକ୍ରିରେ ବୃଦ୍ଧି ଘଟିଥିଲା। ଚଳିତ ବର୍ଷ ମଧ୍ୟ ସେହି ଧାରା ବଜାୟ ରହିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଏପ୍ରିଲ୍ ଆଡ଼କୁ ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ସେହି ସମୟ ପାଖେଇ ଆସିଲାଣି।

Advertisment

ଏ ସମ୍ପର୍କରେ ସର୍ବଭାରତୀୟ ଗାଡ଼ି ଡିଲର ମହାସଂଘ ଏଫ୍ଏଡିଏର ଓଡ଼ିଶା ଅଧ୍ୟକ୍ଷ ପ୍ରଦୀପ ଅଗ୍ରୱାଲ୍ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସିଲେ ଚାରିଟି ବିଷୟ ଉପରେ ଦୁଇଚକିଆ ଯାନ ବିକ୍ରି ନିର୍ଭର କରିଥାଏ। କିଛି ଗ୍ରାହକ ନିର୍ବାଚନ ସମୟରେ ହେଉଥିବା ଭଲ ନୀତିକୁ ଅପେକ୍ଷା କରିଥାନ୍ତି। ସେହି ଅନୁସାରେ ସେମାନେ ଗାଡ଼ି କିଣିବା ନିଷ୍ପତ୍ତି ନେଉଛନ୍ତି। ବିଶେଷ କରି ଗାଡ଼ିର ମୂଲ୍ୟ ଏବଂ ମାଲିକାନା ଖର୍ଚ୍ଚରେ କ’ଣ ଲାଭ ମିଳିବ ତାହା ସେମାନେ ଜାଣିବାକୁ ଉତ୍ସୁକ ହୋଇପଡ଼ନ୍ତି। ଶ୍ରୀ ଅଗ୍ରୱାଲ୍‌ଙ୍କ ମତରେ ନିର୍ବାଚନ ସମୟରେ ବିଭିନ୍ନ ଦଳ ଲୋଭନୀୟ ପ୍ରତିଶ୍ରୁତି ଦେଇଥାନ୍ତି। କିଛି ଦଳ ଅଟୋମୋବାଇଲ୍ ଶିଳ୍ପକୁ ନଜରରେ ରଖି ଘୋଷଣା କରିଥାନ୍ତି। ଗ୍ରାହକମାନେ ସେହି ଘୋଷଣା ଉପରେ ନଜର ରଖି ଗାଡ଼ି କିଣିବା ନିଷ୍ପତ୍ତି ନେଇଥାନ୍ତି। ଲୋକପ୍ରିୟତା ହାସଲ କରିବା ଲାଗି ସରକାର ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିବାକୁ ପଛାନ୍ତି ନାହିଁ। ତାହା ଦୁଇଚକିଆ ଯାନ ବଜାର ଉପରେ ପ୍ରଭାବ ପକାଇଥାଏ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି। ଏହି ସମୟରେ ବଜାର ସ୍ଥିତି ଓ ଋଣପ୍ରଦାନକାରୀଙ୍କ ସହଯୋଗ ମଧ୍ୟ ଗାଡ଼ି ବିକ୍ରି ଉପରେ ପ୍ରଭାବ ପକାଇଥାଏ ବୋଲି ସେ କହିଛନ୍ତି।

ଓଡ଼ିଶାରେ ବିକ୍ରି ହେଉଥିବା ଗାଡ଼ିର ସିଂହ ଭାଗ ହେଉଛି ବାଇକ୍ ଓ ସ୍କୁଟର ଭଳି ଦୁଇଚକିଆ ଯାନ। ଚଳିତ ବର୍ଷର ପ୍ରଥମ ଦୁଇ ମାସ ବିକ୍ରି ଉପରେ ନଜର ପକାଇଲେ ପ୍ରିମିୟମ୍ ମୋଟରସାଇକଲ୍ ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢ଼ିଥିବା ଜଣାପଡ଼ୁଛି। ଚଳିତ ବର୍ଷ ଜାନୁଆରିରେ ରାଜ୍ୟରେ ୬୮,୦୪୩ଟି ଗାଡ଼ି ବିକ୍ରି ହୋଇଥିଲା। ସେଥିରୁ ୫୩,୪୯୧ଟି ଥିଲା ଦୁଇଚକିଆ ଗାଡ଼ି। ତାହାର ବିକ୍ରିରେ ୧୧.୫୦ ପ୍ରତିଶତ ବୃଦ୍ଧି ଘଟିଥିଲା। ସେହିପରି ଫେବ୍ରୁଆରିରେ ରାଜ୍ୟରେ ବିକ୍ରି ହୋଇଥିବା ଗାଡ଼ି ସଂଖା ୭୧,୮୨୬କୁ ବୃଦ୍ଧି ପାଇଥିଲା। ସେହି ମାସରେ ରାଜ୍ୟରେ ୫୭,୨୮୮ଟି ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ଗୋଟିଏ ପଟେ ନିର୍ବାଚନ ପାଖେଇ ଆସୁଥିବାରୁ ପେଟ୍ରୋଲ୍‌ ଦାମ୍ କମ୍ ହେବାର ସମ୍ଭାବନା ବଢ଼ିଛି। ଦ୍ବିତୀୟରେ ଭଲ ଅମଳ ଯୋଗୁଁ ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚିଛି। ଉନ୍ନତ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଆୟ ବୃଦ୍ଧିର କାରଣ ହୋଇଛି। ଏହି ସବୁ କାରଣ ଲାଗି ଆଗାମୀ ମାସଗୁଡ଼ିକରେ ଗାଡ଼ି ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ହେବା ଆଶା କରାଯାଉଛି।