ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଠନ ହୋଇଥିବା ନୂଆ ସରକାରଙ୍କ ପାଇଁ ପ୍ରଥମ ଦିନରୁ ଖୁସି ଖବର ଆସିଛି। ରାଜ୍ୟରେ ଉଚ୍ଚା ରହୁଥିବା ଖୁଚୁରା ଦରଦାମ୍ରେ ସୁଧାର ଘଟିଛି। ଗତ କିଛି ମାସ ହେଲାଣି ଲଗାତାର ଭାବେ ୭ ପ୍ରତିଶତରୁ ଅଧିକ ରହୁଥିବା ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୫ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଏବେବି ତାହା ସାରା ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୭୫ ପ୍ରତିଶତକୁ ହ୍ରାସ ପାଇଛି ଯାହା ଗତ ୧୨ ମାସ ଭିତରେ ସବୁଠୁ କମ୍। ଓଡ଼ିଶାରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଖୁଚୁରା ଦର ସ୍ଥିତି ସାମାନ୍ୟ ଉନ୍ନତ ରହିଛି। ସହରାଞ୍ଚଳ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୧୭ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ସେହି ହାର ୬.୬୫ ପ୍ରତିଶତ ରହିଛି। ଅର୍ଥାତ ଗ୍ରାମାଞ୍ଚଳରେ ଲୋକମାନେ କିଣାକିଣି କରି ବ୍ୟବହାର କରୁଥିବା ଜିନିଷର ଖୁଚୁରା ଦାମ୍ ଅଧିକ ରହିଛି। ଏଥିରୁ ଜଣାପଡ଼ୁଛି ଯେ ଗ୍ରାମୀଣ ଅର୍ଥନୀତି ଚାପରେ ରହିଛି। ସେଥିରେ କିଭଳି ସୁଧାର ଅଣାଯାଇପାରିବ ସେଥିପ୍ରତି ନୂଆ ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଗତ ଏପ୍ରିଲ୍ର ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା।
ଓଡ଼ିଶା ବ୍ୟତୀତ କର୍ଣ୍ଣାଟକ (୬.୧୧%), ଉତ୍ତରପ୍ରଦେଶ (୫.୧୮%), ତେଲେଙ୍ଗାନା (୫.୯୭%), ତାମିଲନାଡ଼ୁ (୫.୩୪%), ରାଜସ୍ଥାନ (୫.୧୩%), କେରଳ (୫.୪୭%), ହରିୟାଣା (୫.୩୫%), ଛତିଶଗଡ଼ (୫.୧୪%), ବିହାର (୫.୪୩%), ଆସାମ (୫.୨୦%) ଓ ଆନ୍ଧ୍ରପ୍ରଦେଶ (୫.୮୭%)ରେ ଖୁଚୁରା ମୁଦ୍ରାସ୍ଫୀତି ହାର ଜାତୀୟ ହାରଠାରୁ ଅଧିକ ରହିଛି। ଦିଲ୍ଲୀରେ ଏହି ହାର ସର୍ବନିମ୍ନ ୧.୯୯ ପ୍ରତିଶତ ଥିବା ବେଳେ ଝାଡ଼ଖଣ୍ଡରେ ୩.୮୩ ପ୍ରତିଶତ, ପଶ୍ଚିମବଙ୍ଗରେ ୩.୪୦ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୩.୩୭ ପ୍ରତିଶତ ରହିଛି। ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତ ପାଖାପାଖି ହ୍ରାସ ପାଇଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ହ୍ରାସ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ମଧ୍ୟରେ ରଖିବା ଲାଗି ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ରିଜର୍ଭ ବ୍ୟାଙ୍କ ନିରନ୍ତର ଉଦ୍ୟମ ଜାରି ରଖିଛି। ଦରଦାମ୍ ଉପରେ ବିଜୟ ହାସଲ କରିବା ଲାଗି ଏହା ସୁଧ ହାରକୁ ଉଚ୍ଚା ସ୍ତରରେ ରଖିଛି ଯେଉଁଥିପାଇଁ ଋଣ ସୁଧ କମ୍ ହେଉନାହିଁ। ଫଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବା ଲାଗି ପାଣ୍ଠି ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଛି। ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କଠାରୁ ସୁଧ ହ୍ରାସ ଧାରା ଆରମ୍ଭ ହୋଇଛି। ଆଗାମୀ ଦିନରେ ଆମେରିକାର ଫେଡେରାଲ୍ ରିଜର୍ଭ ମଧ୍ୟ ସୁଧ କମ୍ କରିବ ବୋଲି କୁହାଯାଉଛି। ଏହାପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିବ।
ଭୁବନେଶ୍ବର: ଯଦିଓ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି, କିନ୍ତୁ ଜୁନ୍ ମାସରେ ସ୍ଥିତି ଓଲଟିଯିବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ରାଜ୍ୟରେ ଏବେ ବିଭିନ୍ନ ପନିପରିବା ଦାମ୍ରେ ନିୟମିତ ବୃଦ୍ଧି ଘଟୁଛି। ପିଆଜ ଓ ଟମାଟୋ ଦାମ୍ ଚିନ୍ତାର କାରଣ ହୋଇଛି। ପିଆଜି ଦାମ୍ ହୁ ହୁ ହୋଇବଢ଼ୁଛି। ଏବେ ପିଆଜ କେଜିକୁ ଲୋକମାନେ ୪୫ ଟଙ୍କା ଦେଇ କିଣୁଛନ୍ତି। ଆଳୁ କେଜି ୨୫ ଟଙ୍କା ଥିବା ବେଳେ ଟମାଟୋ କେଜି ୬୦-୭୦ ଟଙ୍କାରେ ବିକ୍ରି ହେଉଛି। ବାଇଗଣ କେଜି ୪୦ ଓ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି। ପନିପରିବା ଦର ଉପରେ ନିୟନ୍ତ୍ରଣ ହାସଲ କରିବା ଏକ ବଡ଼ ଆହ୍ବାନ ହୋଇରହିଛି। କାରଣ ବହୁ ପନିପରିବା ଲାଗି ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଦାମ୍ କମ୍ କରିବାର ଅସ୍ତ୍ର ରାଜ୍ୟ ପାଖରେ ନାହିଁ। କେବଳ ସ୍ଥାନୀୟ ଉତ୍ପାଦନରେ ବୃଦ୍ଧି ଜରିଆରେ ସ୍ଥିତିରେ ସୁଧାର ଅଣାଯାଇପାରିବ। ତେବେ ଏହା ଏଭଳି ଏକ ଜଟିଳ ଲକ୍ଷ୍ୟ ଯାହାକୁ ତତ୍କାଳ ହାସଲ କରାଯାଇପାରିବ ନାହିଁ।