ରଞ୍ଜନ ପ୍ରଧାନ
ଫୁଲବାଣୀ: ମହିଳା ଦୁର୍ବଳ ନୁହେଁ। ଏହା ପ୍ରମାଣ କରିଛନ୍ତି ଫୁଲବାଣୀ ସହରର ପ୍ରଣତି ମହାପାତ୍ର। ଆଜିକୁ ୬ ବର୍ଷ ତଳେ ପ୍ରଣତି ପରୀକ୍ଷା ମୂଳକ ଭାବେ ନିଜ ଘରେ ଏକ ମେସିନ ପକାଇ ହଳଦୀ, ଲଙ୍କା ଓ ଧଣିଆ ଗୁଣ୍ଡ କରି ସ୍ଥାନୀୟ ଲୋକମାନଙ୍କୁ ବିକ୍ରି କରୁଥିଲେ। ଏହାପରେ ସେ ଅଟା, ମଇଦା ଓ ବିରି ଚୁନା କଲେ। ବିକ୍ରିବଟା ଭଲ ହେଲା। ସେ ‘ଭରତ ସ୍ପାଇସେସ୍’ ନାମରେ ଏକ ମସଲା କମ୍ପାନି ଖୋଲି ପ୍ରଥମେ ଫୁଲବାଣୀ ସହରରେ ବିକ୍ରିବଟା କଲେ। ଏହାପରେ ଚାହିଦା ବଢ଼ିବାରୁ ତାଙ୍କ ମସଲା କ୍ରମେ ବ୍ରହ୍ମପୁର, ନୟାଗଡ଼, ଖୋର୍ଦ୍ଧା, କଟକ ଓ ଭୁବନେଶ୍ବରରେ ବିକ୍ରି ହେଲା। ଶେଷରେ ସେ ‘ଭରତ ସ୍ପାଇସେସ’ର ନାମକୁ ବଦଳେଇ ‘ମେରି ମାମା’ ନାମରେ ଏକ କମ୍ପାନି ପ୍ରତିଷ୍ଠା କଲେ ଏବଂ ଏହି ନାମରେ ବ୍ରାଣ୍ଡର ପଞ୍ଜୀକରଣ ହେଲା।
ଏବେ ‘ମେରି ମାମା’ ମସଲା ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ପହଞ୍ଚିଲାଣି। ପ୍ରଣତିଙ୍କ ଫୁଲବାଣୀ ସହରର କଣ୍ଟ୍ରାକ୍ଟରପଡ଼ାସ୍ଥିତ ଆମ୍ବେଦକର ଛକ ନିକଟରେ ଏକ ମସଲା ୟୁନିଟ୍ ରହିଛି। ଏହି ମିଲ୍ରେ ‘ମେରି ମାମା’ ବ୍ରାଣ୍ଡରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଧଣିଆଗୁଣ୍ଡ, ଚିକେନ୍ ମସଲା, ମିଟ୍ ମସଲା, ବିରିଆନି ମସଲା, କରି ପାଉଡର, ଗରମ ମସଲା, ଜିରା ପାଉଡର, ଅଟା, ମଇଦା, ସୁଜି, ବେସନ, ନୁଡୁଲ୍ସ, ଚାଓମିନ୍ ଆଦି ଯାବତୀୟ ଉତ୍ପାଦ ପ୍ରସ୍ତୁତ ହେଉଛି। ବିଶେଷକରି ‘ମେରି ମାମା’ କନ୍ଧମାଳ ହଳଦୀଗୁଣ୍ଡର ଚାହିଦା ଓଡ଼ିଶାର ବିଭିନ୍ନ ବଜାରରେ ରହିଛି। ଏଥି ପାଇଁ ସ୍ବାମୀ ପତିତପାବନ ମହାପାତ୍ର ମଧ୍ୟ ତାଙ୍କୁ କିଛି ମାତ୍ରାରେ ସହାୟତା କରନ୍ତି।
ପ୍ରଣତି ପ୍ରଥମେ ୪ ଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗ କରି ଏହି ୟୁନିଟ୍ ପ୍ରତିଷ୍ଠା କରିଥିଲେ। ବିଭିନ୍ନ ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ରରୁ ୨୦ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟକୁ ବ୍ୟାପକ କରିପାରିଛନ୍ତି । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏବେ ତାଙ୍କ ବ୍ୟାବସାୟିକ କାରବାର ୪ କୋଟି ଟଙ୍କାରେ ପହଞ୍ଚିଲାଣି। ପ୍ରଣତିଙ୍କ କହିବା ଅନୁସାରେ, ତାଙ୍କ ୟୁନିଟ୍ରେ ଜୈବିକ ଉପାୟରେ ମସଲାଗୁଣ୍ଡ ପ୍ରସ୍ତୁତ ହୋଇଥାଏ ଏବଂ ଏଥିରେ କୌଣସି ପ୍ରକାର ରାସାୟନିକ ପଦାର୍ଥ କିମ୍ବା କୃତ୍ରିମ ରଙ୍ଗର ପ୍ରୟୋଗ କରାଯାଇ ନଥାଏ। ପ୍ରଣତିଙ୍କ ନିଜଘର ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ। ସେ ଫୁଲବାଣୀର ପତିତ ପାବନ ମହାପାତ୍ରଙ୍କୁ ବିବାହ କରିବା ପରେ ନିଜେ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହେବାକୁ ଚାହିଥିଲେ। ଏବେ ସେ ୧୦ ଜଣ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗେଇ ପାରିଛନ୍ତି। ତାଙ୍କ ୟୁନିଟ୍ରେ ବିଭିନ୍ନ ପ୍ରକାର ମସଲା ଗୁଣ୍ଡ କରାଯିବାଠାରୁ ଆରମ୍ଭ କରି ପ୍ୟାକିଂ, ଲୋଡିଂ-ଅନ୍ଲୋଡିଂ, ଟ୍ରାନ୍ସପୋର୍ଟିଂ କରିବା ପାଇଁ ଶ୍ରମିକମାନେ ନିଯୁକ୍ତ ହୋଇଛନ୍ତି ଓ ସବୁ କାମ ସୂଚାରୁ ରୂପେ ସେ ସମ୍ପାଦନ ହୋଇପାରୁଛି ବୋଲି ସେ କହିଛନ୍ତି।