ରବିନାରାୟଣ ଶତପଥୀ
ବସ୍ତା-୨: କର୍କଟ ଭଳି ଦୁଃସାଧ୍ୟ ବ୍ୟାଧି ତାଙ୍କ ପାଖରେ ହାର୍ ମାନିଛି। ଜୀବନ ସଂଗ୍ରାମରେ ଏହି ଯୋଦ୍ଧା ଖାଲି କର୍କଟକୁ ହରାଇନାହାନ୍ତି, ନିଜେ ରୋଜଗାର କରି ସ୍ବାବଲମ୍ବୀ ହେବା ସହ ଶତାଧିକ ମହିଳାଙ୍କୁ ରୋଜଗାରକ୍ଷମ ମଧ୍ୟ କରିଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତ ସାନଖୁଡ଼ି ଗ୍ରାମର ଆରତି ସାହୁ। ୨୦୦୪ ମସିହାରେ ତାଙ୍କୁ ଗଳା କର୍କଟ ହୋଇଥିବା ଜଣାପଡ଼ିବା ପରେ ପରିବାରଲୋକ ଭାଙ୍ଗି ପଡ଼ିଥିଲେ। ହେଲେ ଆରତି ଥିଲେ ସ୍ଥିରଚିତ୍ତ, ଅବିଚଳିତ। ଦୁରାରୋଗ୍ୟ କର୍କଟ ବିରୋଧରେ ଆରମ୍ଭ କରିଥିଲେ ସଂଘର୍ଷ। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ନିଜର ମାନସିକ ସ୍ଥିତିକୁ ଏତେ ଦୃଢ଼ କରିଥିଲେ ଯେ, କର୍କଟ ଭଳି ଭୟଙ୍କର ରୋଗକୁ ମାତ୍ ଦେଇ ୨୦୦୭ ମସିହାରେ ସୁସ୍ଥ ହେଲେ। ଏଇଠୁ ଆରମ୍ଭ ହେଲା ତାଙ୍କ ଜୀବନରେ ଆଉ ଏକ ନୂଆ ଅଧ୍ୟାୟ। ବ୍ୟୟବହୁଳ ଔଷଧ ଓ ଘର ଖର୍ଚ୍ଚ ତୁଲାଇବା ପାଇଁ ସ୍ୱାମୀ ରବିନାରାୟଣ ସାହୁଙ୍କ ସହଯୋଗରେ ନିଜ ଗାଁରେ ଆରମ୍ଭ କଲେ ଛତୁ ଚାଷ।
ପରେ ସେ ଝୋଟ ଉତ୍ପାଦ ଉପରେ ପ୍ରଶିକ୍ଷଣ ନେଲେ। କିଛି କରି ଦେଖାଇବା ପାଇଁ ୨୦୧୨ ମସିହାରେ ୧୨ ଜଣ ମହିଳାଙ୍କୁ ନେଇ ଗଠନ କଲେ ଏକ ସ୍ୱୟଂସହାୟକ ଗୋଷ୍ଠୀ। ଏଥିପାଇଁ ତାଙ୍କୁ ବ୍ୟାଙ୍କ ଋଣ ସହ ସରକାରୀ ଆର୍ଥିକ ସହାୟତା ବି ମିଳିଗଲା। ସେହି ଅର୍ଥରେ ମେସିନ୍ କିଣି ଏବେ ଝୋଟରେ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଓ ଘରସଜ୍ଜା ଜିନିଷ ପ୍ରସ୍ତୁତ କରୁଛନ୍ତି। ଉତ୍ପାଦକୁ ସେମାନେ ସ୍ଥାନୀୟ ବଜାର ସହ ବିଭିନ୍ନ ମେଳା ମହୋତ୍ସବ ଓ ମିସନ୍ ଶକ୍ତି ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି। ଆରତି ପ୍ରତି ମାସରେ ୮ରୁ ୧୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ବେଳେ ସହଯୋଗୀମାନେ ୨ରୁ ୩ ହଜାର ଟଙ୍କା ଯାଏ ଆୟ କରୁଛନ୍ତି। ଏହାଛଡ଼ା ନିଜ ପଞ୍ଚାୟତରେ ୨୦୦ ମହିଳାଙ୍କୁ ଝୋଟ ଉତ୍ପାଦରେ ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ରୋଜଗାରକ୍ଷମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବର୍ତ୍ତମାନ ସେ ପଞ୍ଚାୟତ ମହିଳା ମହାସଂଘର ଇସି ସଦସ୍ୟା ଭାବେ ମଧ୍ୟ କାମ କରୁଛନ୍ତି। ଆରତିଙ୍କ ସଂଘର୍ଷର କାହାଣୀ ଶୁଣି ଅନେକ ମହିଳା ପ୍ରଭାବିତ ହେଉଛନ୍ତି। ତାଙ୍କଠାରୁ ପ୍ରେରଣା ପାଇ ଅଣୁ ଉଦ୍ୟୋଗ ଗଢ଼ିବା ଲାଗି ସାହସ ଓ ମନୋବଳ ଜୁଟାଉଛନ୍ତି। ବାସ୍ତବରେ ଆରତି ଆଜି ଆପଣା ବଳରେ ସ୍ବୟଂସିଦ୍ଧା ପାଲଟି ଯାଇଛନ୍ତି।