ହ୍ବାଟ୍‌ସଆପ୍‌ ୱେବ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏଣିକି ଉପଲବ୍ଧ ହେବ ଅଡିଓ ଓ ଭିଡିଓ କଲିଂ ସୁବିଧା

ମୁମ୍ବାଇ: ହ୍ବାଟ୍‌ସଆପ୍‌ ୱେବ୍‌ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ହ୍ବାଟ୍‌ସଆପ୍‌ରେ ଅଡିଓ ଓ ଭିଡିଓ କଲିଂ ସୁବିଧା ଥିବା ବେଳେ ଖୁବ୍ ଶୀଘ୍ର ୱେବ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଇବାକୁ ଯାଉଛି କମ୍ପାନି। ଫଳରେ ଏଣିକି ଡେସ୍କଟପ୍ ସ୍କ୍ରିନରେ ଅଡିଓ ଏବଂ ଭିଡିଓ କଲ କରିପାରିବେ ବ୍ୟବହ‌ାରକାରୀ।

କିଛି ହ୍ବାଟ୍‌ସଆପ୍‌ ବିଟା ବ୍ୟବହାରକାରୀଙ୍କ ପାଇଁ ଚାଟ୍‌ ୱି‌ଣ୍ଡୋରେ ଅଡିଓ ଓ ଭିଡିଓ କଲ୍‌ର ବିକଳ୍ପ ଦେଖିବାକୁ ମିଳି ସାରିଲାଣି। ଗତ କିଛି ଦିନ ହେବ ଡେକ୍ସଟପ୍‌ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ଚାଟ୍‌ ହେଡରରେ ଅଡିଓ କଲିଂ ଦେଖିବାକୁ ମିଳିଛି।

ତେବେ, ଏବେ ବି ବ୍ୟବହାରକାରୀଙ୍କୁ ଡେକ୍ସଟପ୍‌ରେ ହ୍ବାଟ୍‌ଓଆପରେ ଖୋଲିବା ପାଇଁ ଏକ ଫୋନର ଆବଶ୍ୟକତା ରହିିଛି। ବିନା ଫୋନରେ ଡେସ୍କଟପ୍‌ରେ ହ୍ବାଟ୍‌ସଆପ୍‌ ଖୋଲିବା ସମ୍ଭବ ନୁହେଁ।

ସୂଚନା ରହିଛି ଯେ ଯେତେବେଳେ ଆପଣଙ୍କ ଡେସ୍କଟପ୍‌କୁ କଲ୍ ଆସିବ ସେତେବେଳେ ଆପଣଙ୍କୁ ଏକ ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ ଯେଉଁଠାରେ ଆପଣ ଆସୁଥିବା କଲ୍ ରିସିଭ୍‌ କିମ୍ବା ପ୍ରତ୍ୟାଖ୍ୟାନ କରିପାରିବେ।

ସେହିପରି ଯେତେବେଳେ ଆପଣ ନିଜ ଆଡୁ କାହାକୁ କଲ୍‌ କରୁଛନ୍ତି ସେତେବେଳେ ୱିଣ୍ଡୋ ଭିନ୍ନ ଧରଣର ଦିଶିବ। ୱିଣ୍ଡୋ ଅପେକ୍ଷାକୃତ ସାନ ଦିଶିବ।

ଉଲ୍ଲେଖଯୋଗ୍ୟ, ଫେସ୍‌ବୁକ୍‌ ଦ୍ବାରା ପରିଚାଳିତ ସବୁଠାରୁ ଲୋକପ୍ରିୟ ଆପ୍‌ ହ୍ବାଟ୍‌ସଆପ୍‌ ଭିଡିଓ କଲ୍‌ରେ ପୂର୍ବରୁ ସର୍ବାଧିକ ୪ ଜଣଙ୍କୁ ନେଇ ଗ୍ରୁପ୍‌ କଲ୍‌ର ଅନୁମତି ଦେଉଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୮ରେ ପହଞ୍ଚିଛି। ନୂଆ ସୁବିଧା ପାଇବା ପାଇଁ ବ୍ୟବହାରକାରୀଙ୍କୁ ନୂଆ ଭର୍ସନ ଇନ୍‌ଷ୍ଟଲ୍‌ କିମ୍ବା ହ୍ବାଟ୍‌ସଆପ୍‌ ଅପଡେଟ୍‌ କରବାକୁ ପଡ଼ିବ।

ସମ୍ବନ୍ଧିତ ଖବର