ନୂଆଦିଲ୍ଲୀ: ସାଇବର ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ (ଡଟ୍) ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଗୁଗୁଲ୍ ଏବଂ ଆପଲ୍ ସେମାନଙ୍କ ଷ୍ଟୋର୍ରୁ ଦୁଇଟି ଆପ୍ ହଟାଇଛନ୍ତି। ଏହି ଆପ୍ ଦୁଇଟି ଭାରତରେ ଇସିମ୍ ସେବା ଯୋଗାଇ ଦେଉଥିଲା। ଏଥିସହିତ ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ ଏବଂ ଟେଲିକମ୍ କମ୍ପାନିଗୁଡ଼ିକୁ ମଧ୍ୟ ଭାରତରେ ଉକ୍ତ ଦୁଇଟି ଆପ୍ର ୱେବସାଇଟ୍କୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଷିଦ୍ଧ ହୋଇଥିବା ଏହି ଆପ୍ ଦୁଇଟି ହେଲା ଏରାଲୋ ଏବଂ ହୋଲାଫ୍ଲାଏ। ଉକ୍ତ ଦୁଇଟି ଆପ୍ ଇସିମ୍ ପ୍ରଦାନ କରିଥାନ୍ତି ଯାହା ଜରିଆରେ ଟେଲିକମ୍ କମ୍ପାନି ଗୁଡ଼ିକ ବିଶ୍ବର ବିଭିନ୍ନ ଅଞ୍ଚଳରେ ଟେଲିକମ୍ ସେବା ଯୋଗାଇ ଥାନ୍ତି।
ଆପଲ୍ ଏବଂ ଗୁଗୁଲ୍ ଏହି ଆପ୍କୁ ହଟାଇବା ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ। କିନ୍ତୁ ଡଟ୍ ଠାରୁ ସେମାନେ ଗତ ୪ ତାରିଖରେ ଆପ୍ ହଟାଇବା ପାଇଁ ନିର୍ଦ୍ଦେଶ ପାଇଥିଲେ। ସରକାରୀ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ସାଇବର ଅପରାଧୀମାନେ ନିରୀହ ଭାରତୀୟଙ୍କୁ ଏହା ଜରିଆରେ ଲୁଟୁଥିଲେ। ଅଣସ୍ବୀକୃତ ଇସିମ୍ ଜରିଆରେ ଅନ୍ତର୍ଜାତୀୟ ଫୋନ ନମ୍ବରରୁ କଲ୍ କରି ଅପରାଧୀମାନେ କାରନାମା ଚଳାଉଥିଲେ। ତେବେ ଇସିମ୍ ପାଇଁ ଡଟ୍ର ଏନଓସି ଆବଶ୍ୟକ ହୋଇଥାଏ। ଇସିମ୍ ସେବା ପ୍ରଦାନକାରୀମାନେ ବିନା ସିମ୍ରେ ଭଏସ୍ କଲିଂ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନ କରିଥାନ୍ତି। ତେବେ ଭାରତରେ ଏବେ ନୋମାଡ ଇସିମ୍ ଏବଂ ଆଲୋସିମ୍ ଭଳି ଇସିମ୍ ସେବାପ୍ରଦାନକାରୀ ସେମାନଙ୍କ ସେବା ଯୋଗାଇ ଦେଉଛନ୍ତି। ଆପ୍ ଷ୍ଟୋର ଗୁଡ଼ିକରେ ଏଗୁଡ଼ିକ ଉପଲବ୍ଧ ହେଉଛି।