ଭାରତ ପାଇଁ ବଡ଼ ଯୋଜନା: ଗୁଗୁଲ୍ ୭୫ ହଜାର କୋଟି ନିବେଶ କରିବ, ପ୍ରଧାନମନ୍ତ୍ରୀଙ୍କ ସହ ସୁନ୍ଦର ପିଚାଇଙ୍କ ଆଲୋଚନା

ସିବିଏସ୍‌ଇ ସହ ବୁଝାମଣା, ସବୁ ଆଞ୍ଚଳିକ ଭାଷାରେ ସୂଚନା ପହଞ୍ଚାଇବ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଜଗତର ସର୍ବବୃହତ କଂପାନି ଗୁଗୁଲ୍‌ ଭାରତରେ ୭୫,୨୦୦ କୋଟି ଟଙ୍କା ନିବେଶ କରିବ। ଆସନ୍ତା ୫-୭ ବର୍ଷ ଭିତରେ ଏହି ପୁଞ୍ଜିନିବେଶ କରାଯିବ ବୋଲି କଂପାନିର ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଚଳିତ ବର୍ଷ ଡିଜିଟାଲ୍‌ ମାଧ୍ୟମରେ ଆୟୋଜନ କରାଯାଇଥିବା ‘ଗୁଗୁଲ୍ ଫର ଇଣ୍ଡିଆ’ କାର୍ଯ୍ୟକ୍ରମ ଅବସରରେ ସେ ଏହି ସୂଚନା ଦେଇଛନ୍ତି। ଭାରତକୁ ନେଇ ଗୁଗୁଲ୍ ବୃହତ ଯୋଜନା ରଖିଛି। ଭାରତୀୟ କଂପାନି ଓ ଡିଜିଟାଲ୍ ସେବା ପ୍ରଦାନ କରୁଥିବା ସଂସ୍ଥାର ଅଂଶଧନ କିଣିବା ଉପରେ ମଧ୍ୟ ଗୁଗୁଲ୍‌ ମନୋନିବେଶ କରିବ। ଫେସବୁକ୍ ଭଳି ବିଶ୍ବସ୍ତରୀୟ କଂପାନି ଠାରୁ ରିଲାଏନ୍ସ ଜିଓ ପୁଞ୍ଜିନିବେଶ ହାସଲ କରିବା ପରେ ଭାରତ‌ରେ ଥିବା ସୁଯୋଗକୁ ନେଇ ଗୁଗୁଲ୍ ହଠାତ୍‌ ସଚେତନ ହୋଇପଡ଼ିଛି। କେବଳ ଫେସ୍‌ବୁକ୍ ନୁହେଁ ଅନ୍ୟ ୧୧ଟି ସଂସ୍ଥା ମଧ୍ୟ ଜିଓରେ ନିବେଶ କରିଛନ୍ତି। ଏହି ବଜାରରେ ଗୁଗୁଲ୍ ପଛରେ ରହିବାକୁ ଚାହୁନାହିଁ। କଂପାନି ଆଗାମୀ ଦିନରେ ଭାରତର ଉଭୟ ଛୋଟ ଓ ବଡ଼ କଂପାନିରେ ନିବେଶ କରିବ। ଏହା ବ୍ୟତୀତ ଡିଜିଟାଲ୍ ଭିତ୍ତିଭୂମି ବିକଶିତ କରିବା ଓ ଡାଟା ସେଣ୍ଟର୍‌ ସ୍ଥାପନ କରିବାରେ ମଧ୍ୟ ପୁଞ୍ଜିନିବେଶ କରିବ। ଜିଓ କିମ୍ବା ଭୋଡାଫୋନ୍ ଆଇଡିଆର ଅଂଶଧନ କିଣିବା ନେଇ ଗୁଗୁଲ୍ କଥାବାର୍ତା ଜାରି ରଖିଥିବା ଆଲୋଚନା ହେଉଛି। ସେ ସମ୍ପର୍କରେ ପିଚାଇ କିଛି କହିନାହାନ୍ତି। କିନ୍ତୁ ଏହା କହିଛନ୍ତି ଯେ, ଗୁଗୁଲ୍ ପେ’ ଭଳି ଭାରତରୁ ବିଶ୍ବସ୍ତରୀୟ ଉତ୍ପାଦ ବିକଶିତ କରିବା ଉପରେ କଂପାନି ଜୋର ଦେବ।

ପ୍ରତିଟି ଭାରତୀୟଙ୍କ ପାଖରେ ସେମାନେ ବୁଝିପାରୁଥିବା ଭାଷାରେ ସୂଚନା ଦେବାକୁ କଂପାନି ଚାହୁଛି। ଏବାବଦରେ ଯେତିକି ପୁଞ୍ଜିନିବେଶ ଦରକାର ହେବ ତାହା ଗୁଗୁଲ୍ ନିବେଶ କରିବ। ଏହା ବ୍ୟତୀତ, ଭାରତର ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିପାରୁଥିବା ଉତ୍ପାଦ ଓ ସେବାକୁ କଂପାନି ବିକଶିତ କରିବାକୁ ଯୋଜନା ରଖିଛି। ବ୍ୟବସାୟୀ ଗୋଷ୍ଠୀଙ୍କୁ ସାହାଯ୍ୟ କରିବା ସହିତ ଡିଜିଟାଲ୍ କ୍ଷେତ୍ର‌ରେ ବୈପ୍ଳବିକ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ପାଇଁ କଂପାନି ଚାହୁଛି। ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଭଳି କ୍ଷେତ୍ର ପାଇଁ ନୂତନ ଜ୍ଞାନକୌଶଳ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବିକଶିତ କରିବା ଲାଗି ମଧ୍ୟ କଂପାନି ଯୋଜନା ରଖିଛି। ଏହି ସମସ୍ତ‌ କ୍ଷେତ୍ରରେ କଂପାନି ୭୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ କରିବ। ଆଜି ଗୁଗୁଲ୍ ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ସହ ଏକ ବୁଝାମଣା ସ୍ବାକ୍ଷର କରାଯାଇଛି। ଏହା ଅଧୀନରେ କଂପାନି ପକ୍ଷରୁ ୨୦୨୦ ଶେଷ ସୁଦ୍ଧା ୨୨,୦୦୦ ସ୍କୁଲ୍‌ର ୧ ନିୟୁତରୁ ଅଧିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହା ବ୍ୟତୀତ କୈବଲ୍ୟ ଏଜୁକେସନ ଫାଉଣ୍ଡେସନକୁ କଂପାନି ୧ ନିୟୁତ ଡଲାରର ସହାୟତା ରାଶି ପ୍ରଦାନ କରିବ। ଟିଭି ଓ ‌ରେଡିଓ ଜରିଆରେ କିଭଳି ପାଠପଢ଼ାଇ ହେବ ସେ ନେଇ ପ୍ରାୟ ୭,୦୦,୦୦୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାକୁ କଂପାନି ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ସକାଳେ ପିଚାଇଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭାରତରେ ଚାଷୀ, ଯୁବକଯୁବତୀ ଓ ଉଦ୍ୟୋଗୀମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଔଦ୍ୟୋଗିକ ବ୍ୟବସ୍ଥାର ବ୍ୟବହାର ଉପରେ ଆଲୋଚନା ହୋଇଥିଲା। କରୋନା ସଙ୍କଟ ସମୟରେ ଦେଖାଦେଇଥିବା ନୂତନ କର୍ମ ସଂସ୍କୃତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍ ମଧ୍ୟ କରିଛନ୍ତି। ବିଭିନ୍ନ କ୍ଷେତ୍ର ଲାଗି ଗୁଗୁଲ୍ ଯେଉଁ ପ୍ରୟାସ ଜାରି ରଖିଛି ତାହାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି। କ୍ରୀଡ଼ା ଆଦି କ୍ଷେତ୍ର ପାଇଁ ଦେଖାଦେଇଥିବା ସମସ୍ୟା ଉପରେ ମଧ୍ୟ ସେମାନେ କଥାବାର୍ତା ହୋଇଥିଲେ। ଡାଟା ସୁରକ୍ଷା ଓ ସାଇବର ସୁରକ୍ଷା ମଧ୍ୟ ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଅଂଶ ଥିଲା।

ୟୁଟ୍ୟୁବ୍ ଭିଡିଓ ଦେଖି ରୋଷେଇ କରୁଛନ୍ତି ପିଚାଇ
ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ଼ ଇଣ୍ଟରନେଟ୍ କଂପାନି ଗୁଗୁଲ୍‌ର ସିଇଓ ଭାବେ କାର୍ଯ୍ୟରତ ସୁନ୍ଦର ପିଚାଇଙ୍କ ଜୀବନରେ ୟୁଟ୍ୟୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଖୋଦ ପିଚାଇ ଏହା କହିଛନ୍ତି। ଲକ୍‌ଡାଉନ୍ ସମୟରେ ୟୁଟ୍ୟୁବ୍ ଭିଡିଓ ଦେଖି ସେ ନିଜ ପିଲାମାନଙ୍କ ସହ ମିଶି ପନିର ମଖନି ଠାରୁ ଆରମ୍ଭ କରି ପିଜ୍ଜା ଆଦି ରୋଷେଇ କରିବା ଶିଖିଛନ୍ତି। ସ୍ମୃତି ତାଜା କରୁଥିବା ଅନେକ ଭିଡିଓ ମଧ୍ୟ ୟୁଟ୍ୟୁବ୍‌ରୁ ଦେଖୁଛନ୍ତି। ପିଲାବେଳେ ସନ୍ଧ୍ୟା ସମୟରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ‘ସାରେ ଜାହାଁ ସେ ଆଚ୍ଛା’ କାର୍ଯ୍ୟକ୍ରମକୁ ଦେଖିବା ଲାଗି ସେ ଟିଭି ସାମ୍ନାରେ ବସୁଥିଲେ। ଏହି କାର୍ଯ୍ୟକ୍ରମ ତାଙ୍କ ପାଇଁ ବେଶ ସ୍ବତନ୍ତ୍ର ଥିଲା ବୋଲି ପିଚାଇ କହିଛନ୍ତି। ଭାରତରେ ପ୍ରଯୁକ୍ତିର ବ୍ୟବହାର ଯେଉଁଭଳି ଦ୍ରୁତ ଗତିରେ ବୃଦ୍ଧି ପା‌ଉଛି ତାହାକୁ ନେଇ ସେ ଆନନ୍ଦ ପ୍ରକଟ କରିଛନ୍ତି। ପୂର୍ବରୁ କିଛି ପ୍ରଯୁକ୍ତି ବିକଶିତ ହେବା ପରେ ଭାରତ ଆସିବା ପାଇଁ ଦୀର୍ଘ ସମୟ ଲାଗୁଥିଲା। ଏବେ କିନ୍ତୁ ଚିତ୍ର ବଦଳିଗଲାଣି ବୋଲି ପିଚାଇ କହିଛନ୍ତି।

ସମ୍ବନ୍ଧିତ ଖବର